Unknown

 

 

 

 

 

 

 

 

 

 

 

ବୀରବାଳା ପାନ୍ନା

ଶ୍ରୀ ରଘୁନାଥ ପାଣିଗ୍ରାହୀ

 

ନମସ୍କ୍ରିୟା

 

ଶ୍ରଦ୍ଧେୟ ରଘୁନାଥ ବାବୁ,

 

ଆପଣଙ୍କର କବିପ୍ରତିଭାକୁ ନମସ୍କାର ଜଣାଇବା ନିମନ୍ତେ ଦୁଇ ଧାଡ଼ି ଲେଖିବାର ଆବେଗ ସମ୍ଭାଳି ରହି ପାରିଲି ନାହିଁ । କବିବର ଗଙ୍ଗାଧର ଏକ ଜମିଦାରି ସିରସ୍ତାରେ ପାଉତି ଭିଆଣ ଲେଖୁଥିଲେ । ଆପଣ ଗୋଟିଏ ମ୍ୟୁନିସିପାଲ ମାଇନର ସ୍କୁଲର ଦରିଦ୍ର ଶିକ୍ଷକ ରୂପେ ଆଜୀବନ ଖଟିଲେ । କିନ୍ତୁ ଉଭୟେ ସମଧର୍ମା ରୂପେ ବାଣୀ ବନ୍ଦନାରେ ସାରା ଜୀବନ କଟାଇଛନ୍ତି-। ଏହା କହିବାର ଅର୍ଥ ଏହା ନୁହେ ଯେ ମୁଁ ଗଙ୍ଗାଧରଙ୍କ ସଙ୍ଗେ ଆପଣଙ୍କୁ ତୁଳନା କରୁଛି ।

 

ଆଜିକି ତିରିଶ ବର୍ଷରୁ ଅଧିକ କାଳର କଥା । ଆପଣଙ୍କ ପ୍ରଥମ କୃତି “ଅଗ୍ନିପରୀକ୍ଷା” ବ୍ରହ୍ମପୁରର ସେତେବେଳର ବହି ବ୍ୟବସାୟୀ ଅର୍ଥଲିପ୍ସୁ ପୁରୁଣା ଷ୍ଟୁଡେଣ୍ଟ୍ସ ଷ୍ଟୋର ପ୍ରକାଶ କରିବାକୁ ନାରାଜ ହେଲେ । କିନ୍ତୁ ମୋର ପ୍ରବେଶିକା ଭାରତ ଇତିହାସ ଓ ମିବାରରୁ ଅର୍ଥଲାଭର ଆଶା ଥିବାରୁ ସେହି ଦୁଇ ପୁସ୍ତକ ଆଗ୍ରହରେ ମୋଠାରୁ ବରଗଡ଼ରୁ ମଗାଇ ନେଇ ପ୍ରକାଶ କରିଥିଲେ । ଆପଣଙ୍କ ସଙ୍ଗେ ମୋର ପରିଚୟ ନ ଥିଲା । ଆପଣ ଉକ୍ତ ଦୁଇ ପୁସ୍ତକରୁ ମୋର ପରିଚୟ ନେଇ ମୋଠାକୁ “ଅଗ୍ନିପରୀକ୍ଷା” ସଂଶୋଧନ ନିମନ୍ତେ ପଠାଇଦେଲେ ଏବଂ ଉକ୍ତ ଷ୍ଟୁଡେଣ୍ଟ୍ସ ଷ୍ଟୋର ସେବହି ପ୍ରକାଶ ନିମନ୍ତେ ଅଗ୍ରାହ୍ୟ କରିଥିବା କଥା ଲେଖିଥିଲେ । ଅଗ୍ନିପରୀକ୍ଷାରେ ମୋର ସଂଶୋଧନ କରିବାର କିଛି ନ ଥିଲା । ମୁଁ କେବଳ ଗୋଟିଏ ମୁଖବନ୍ଧ ଲେଖିଦେଲି ଏବଂ ନିତାନ୍ତ ଦରିଦ୍ର ଥିଲେ ମଧ୍ୟ କାବ୍ୟରେ ପ୍ରତିଭାର ଉନ୍ମେଷ ଥିବା ଜାଣି ସ୍ଵହସ୍ତରୁ ଶହେରୁ କିଛି ଅଧିକ ଟଙ୍କା ଖର୍ଚ୍ଚ କରି ସେହି ପୁସ୍ତକଟି ଛାପି ଦେଇଥିଲି । ବର୍ତ୍ତମାନ ରାଷ୍ଟ୍ରଭଷା ପୁସ୍ତକ ଭଣ୍ତାର ଉକ୍ତ ପୁସ୍ତକର ଦ୍ଵିତୀୟ ମୁଦ୍ରଣ କରିଛନ୍ତି ଏବଂ ଆପଣଙ୍କର ଅନ୍ୟ କେତେକ କୃତି ମଧ୍ୟ ପ୍ରକାଶ କରିଛନ୍ତି ।

 

ଏସମସ୍ତ କହିବା ବା ଜଣାଇଦେବା ମୋର ଉଦ୍ଦେଶ୍ୟ ବା ଇଚ୍ଛା ନୁହେ, କିନ୍ତୁ ସଙ୍ଗତି ନିମନ୍ତେ ଲେଖିଲି । ଅଗ୍ନିପରୀକ୍ଷାରେ ପ୍ରତିଭାର ଯେଉଁ ଉନ୍ମେଷ ଥିଲା, ତାହା ବୀରବାଳା ପାନ୍ନାରେ ବିକଶିତ ରୂପରେ ସ୍ପଷ୍ଟ ପ୍ରତିଭାତ ହେଉଛି । କେବଳ ଏତିକି କଥା ଜଣାଇଦେବା ନିମନ୍ତେ ପୂର୍ବୋକ୍ତ ସବୁ କଥା ଲେଖିଛି । ଆପଣ ଉତ୍କଳ ଭାରତୀଙ୍କୁ ଅମୂଲ୍ୟ କବିତା-ପୁଷ୍ପହାର ଦାନ କରିବାରେ ସମର୍ଥ ହୋଇଛନ୍ତି । କବିମଣ୍ତଳୀରେ ଆପଣଙ୍କ ସ୍ଥାନ କେଉଁଠାରେ ହେବ, ତାହା ଆପଣଙ୍କ ବଂଶଧରମାନେ ସ୍ଥିର କରିବେ । ତାହା ଆପଣଙ୍କ ଚିନ୍ତା କରିବାର ବିଷୟ ନୁହେ । ମୋର ଗୋଟିଏ ଅନୁରୋଧ, ଆପଣ ବୃଦ୍ଧ ଓ ରୁଗ୍ଣ ହୋଇଥିଲେ ମଧ୍ୟ, ଉତ୍କଳଭାରତୀଙ୍କୁ ଆଉ କିଛି ଦାନ କରିବାର ଚିନ୍ତାରେ ନିଜକୁ ନିବିଷ୍ଟ କରନ୍ତୁ ।

 

“ବୀରବାଳା ପାନ୍ନା” ମୁଖବନ୍ଧ ଆବଶ୍ୟକ କରେ ନାହିଁ । ଚିହ୍ନା ବ୍ରାହ୍ମଣର ପଇତା ଅନାବଶ୍ୟକ । ପାଠକ ମାତ୍ରେ ତାହା ପାଠ କରି ତହିଁର ମୂଲ୍ୟ ନିରୂପଣ କରିବେ ।

 

ମୋଦିପଡ଼ା, ସମ୍ଵଲପୁର

ଶ୍ରୀ ଶିବପ୍ରସାଦ ଦାଶ

ତା ୩୧ । ୧୦। ୬୩

 

Image

 

ପ୍ରଥମ ଉଚ୍ଛ୍ଵାସ

 

ଶେଷଫଣା ଭଳି ଊର୍ଦ୍ଧ୍ଵେ ଶିର ତୋଳି

ଉଠୁଛି ଲହରୀ ଲୀଳା

ଦୁଇ କୂଳ ଖୋଳି ଧାଏଁ ଖେଳି ଖେଳି

ଖରସ୍ରୋତା ନଦୀ ବୀରା ।

ମାତୃକୋଳେ ଶିଶୁ ଲୋଟୁଛି କି ସତେ

ଶିଶୁମାର ମେଲି ପାଟି

ଉଠୁଛି ପଡ଼ୁଛି ବିପୁଳ ଅଙ୍କରେ

ତଟିନୀର ଧାର କାଟି ।

ଦୀର୍ଘକାୟ ନକ୍ରେ ସ୍ରୋତ ଚକ୍ରେ ଚକ୍ରେ

ଚାଳି ଚାଳି ଖଡ଼୍‍ଗପୁଚ୍ଛ

ତୂଣ ସମୁତ୍ଥିତ ତୀବ୍ର ତରବାରେ

ଦେଉଛନ୍ତି କରି ତୁଚ୍ଛ ।

ଆସେ ଭାସି ଭାସି ତଟତରୁ ଖସି

ଦୁର୍ଦ୍ଦାନ୍ତ ଦାନବ ସରି

ଦେଖିବାର ଥାଉ ପଡ଼ିଲେ ତା କାନେ

ତନୁଗୋଟା ଉଠେ ଥରି ।

ଉତ୍ସୁକ ଲୋଚନେ ରହିଛନ୍ତି ଚାହିଁ

ସମାଗତ ପୁରବାସୀ

ଏକାଳେ ଅଦ୍ଭୁତ ଚିତ୍ର ଏକ ନେତ୍ର

ଆଗେ ଉଠିଲା ଉଦ୍ଭାସି ।

ଝଲସାଇ ଦେଲା ଲୋକ ଲୋଚନକୁ

ସେ ବିଦ୍ୟୁ ବିନିନ୍ଦୀ ଭାତି

ସମସ୍ତେ କହିଲେ, “ମାନବୀ ନୁହେ ଏ”

ଦେବୀ ସୁରବାଳା ଜାତି ।

ଦୋଳି ମନ୍ଦେ ମନ୍ଦେ ନୀର ଆସ୍ତରଣେ

କେଭେଁ ହୋଇଯାଏ ଛିଡ଼ା

କେ ବୋଲେ, “ଏ ବାଳା” ଜଳରାଜଜେମା

କରୁଅଛି ଜଳକ୍ରୀଡ଼ା ।

ଆଲିଙ୍ଗି ତଟିନୀ ତା ତରଙ୍ଗ କରେ

ପ୍ରେମ ପୁଲକିତ ମନେ

ଫେନ ପୁଷ୍ପହାରେ ବାଳା ବକ୍ଷସ୍ଥଳ

ମଣ୍ତି ଦେଲା ସଯତନେ ।

କଳେବର ଝଳି ଅଗ୍ନିଶିଖା ଭଳି

ଝଲକେ ତା ଜଳଚାରୀ

ଉଚ୍ଛ୍ଵସିତ ପ୍ରାଣେ ପ୍ରତିମାରେ ଚାହିଁ

ଖେଳୁଛନ୍ତି ପୁଚ୍ଛ ଚାଳି ।

ତରଙ୍ଗ ପଟଳ ଲୋଟି ଚରଣରେ

କରନ୍ତି ଅଭିବାଦନ ।

ଊରମି ଉତ୍ଥିତ ଶୁଭ୍ର ମୁକ୍ତାପଂକ୍ତି

କରନ୍ତି ଶିର ଶୋଭନ ।

କୁଳୁକୁଳୁ ଛନ୍ଦେ ସଲିଳ ସୁନ୍ଦରୀ

ସ୍ଵାଗତ ଗୀତିକା ଗାଇ

ଆନନ୍ଦେ ବିଭୋର ବାଳା ସଂବର୍ଦ୍ଧନା

ଅମୃତ ଆସ୍ଵାଦ ପାଇ ।

ଶ୍ରଦ୍ଧା ପୁଷ୍ପାଞ୍ଜଳି ନ୍ୟାସେ ଅନୁରକ୍ତ

ପୁଳିନ ବଲ୍ଲରୀକୂଳେ

ବଲ୍ଲକୀ ବଳାଇ ପୁଷ୍ପ କୋଳେ ଅଳି

ଆନନ୍ଦେ ରତ ବିପୁଳ ।

କିଶଳୟ ଅଙ୍କେ ତୋଳିଛନ୍ତି ମଥା

ପ୍ରଚୁର ପାଦପରାଜି

ବାଳା ମହୋତ୍ସବେ ପ୍ରକୃତି ଲଳନା

ଛତ୍ର କିବା ଅଛି ସାଜି ?

ପାଦପ ପତ୍ରର ଝନଝନ ନୁହେ,

ଦୁନ୍ଦୁଭିର ନାଦ ତାହା ।

କାକଳି ନୁହେ ତା ପତତ୍ରୀ ବାଳାର,

କାହାଳୀର ରାଗ ରାଆ ।

ନୀରବ ଗର୍ଜନ ନୁହେ, ନଭଦେଶେ

ଫୁଟୁଛି ତା’ ତୋପାବଳୀ

ବିଜୁଳି ନୁହେ ସେ ଅମର ପୁରର

ବାଣୁଆର ବାଣ ଝଳି ।

ଜଳନିଧିସୁତା ଜଗଜ୍ଜନ ମାତା

ନଦୀବକ୍ଷେ ଉଭା ଭାଳି

ମରତେ ତ୍ରିଦିବେ ପୂଜାର ବିପଣୀ

ବାଢ଼ିଛି ପ୍ରକୃତି ବାଳୀ ।

ନିରୀକ୍ଷଣେ ନ୍ୟସ୍ତ ବିସ୍ଫାରିତ ନେତ୍ର

ସମାଗତ ଜନତାର

ବିଭାସିଲା ନଭେ ବାଳାରୁଣ ନିନ୍ଦି

ଚିତ୍ର ଏକ ଚମତ୍କାର ।

ଅବତରି ଆଶୁ ଅପୂର୍ବ ବିମାନ

ବାଳା ଆଗେ ହେଲା ଉଭା

ବସିଛନ୍ତି ତହିଁ ଅମରୀ ଆଠଟି

ବସିଛି ଚାଳକ ଯୁବା ।

ବିଲମ୍ଵାଇ ଦେଲେ ପାରିଜାତମାଳା

ଅମରୀଏ ବାଳାଗଳେ

ପଲକକ ପରେ ମିଶିଗଲା କାହିଁ

ବିମାନ ନଭୋମଣ୍ତଳେ ।

ଉତ୍ସୁକ ଲୋଚନେ ଚାହିଁଛନ୍ତି ଜନେ

ଉପରକୁ କରି ଦୃଷ୍ଟି

ଭାଷିଲା ଏକାଳେ ବର୍ଷୀୟସୀ ଜଣେ

ଜନତା ଭିତରେ ଉଠି ।

“ବୀରବାଳା ଗତି ପାଇଲୁ ମା ପାନ୍ନା

କଲୁ ଯାଇ ଦିବେ ବାସ

ଘୋଷୁଥିବ ତୋର ଶାଶ୍ଵତୀ କୀରତି

ରାଜସ୍ଥାନ ଇତିହାସ ।

କୋଟି ସନ୍ତାନର ସ୍ଵାର୍ଥସୁଖ ଆଶେ

କୋଳର ମହାର୍ହ ମଣି

ତରବାରି ଧାରେ ଥୋଇଦେଲୁ ନେଇ

ଜନ୍ମଭୂମି ବଡ଼ ମଣି ।

୧ଦେଇ ଯାଇଥିଲେ ତୋ କୋଳେ ଉଦି କି

୨ବୁଜୁବୁଜୁ ଆଖି ସଙ୍ଗ

ମିବାରର ଆଜି ମହାରାଣା ଉଦି

ମଣ୍ତି ରାଜଲକ୍ଷ୍ମୀ ଅଙ୍ଗ ।

ଦେଖ ଦେଖ ସେହି ସୁରପୁରେ ଥାଇ

ଅମରୀ ଅର୍ଚ୍ଚନା ପାତ୍ରୀ !

ଉଠୁଛି ପଡ଼ୁଛି ତୋ ମିବାର ଆଜି

ଆନନ୍ଦ କଲ୍ଲୋଳେ ମାତି ।

ଦେଖ ଦେଖ କେହ୍ନେ ମିବାର ଅମ୍ଵର

ରୁତ ତରଙ୍ଗରେ ଭାସେ

ଦେଖ ଦେଖ କେହ୍ନେ ମିବାର ମେଦିନୀ

ହସେ ମିହିରର ହାସେ ।

ଦେଖି ଏ ଉତ୍ସବ କରିବାକୁ ଧନ୍ୟ

ଜୀବନକୁ ଚାରୁଶୀଳେ

ପିପୀଲିକା ଆଜି ଉଡ଼େ ଧରି ଡେଣା

ଦେଖ ଦେଖ ତିଳେ ତିଳେ ।

ଆହା କି ବିପୁଳ ଉତ୍ସବ ଚହଳ

ଚଉଦିଗେ ଚିତୋରର

ଦେଖ ଦେଖ କେହ୍ନେ ଲାଗିଅଛି ପୂଜା

ପୁରେ ପୁରେ ଉମା ହର ।

ଧରିଛି ବିଗ୍ରହ ସ୍ଵପ୍ନ ମିବାରରେ

ମାଆ ତୋ ବିପୁଳ ତ୍ୟାଗେ

ଭବିଷ୍ୟ ଉଜ୍ଜ୍ଵଳ ଛବି ଦେଖୁଛନ୍ତି

ଦେଶବାସୀ ପୁଣ୍ୟ ପାଗେ ।

ହାଡ଼ ଚମଡ଼ାର ଦେହଯାଏ ମରି

ଯଶର କାଞ୍ଚନ କାୟା

ଝଟକୁଥିବ ଲୋ ଶାଶ୍ଵତ ଜ୍ୟୋତିରେ

ଯେତେ ଦିନ ଥିବ ଛାୟା ।

ରଟୁଥିବ ଯଶ ସହକାର କୁଞ୍ଜେ

କୋକିଳ ତା କୁହୁଛଳେ

ଢାଳୁଥିବ ବୀଚୀ ଯଶଜ୍ୟୋତ୍ସ୍ନା ଦେହେ

ଶରତର ବ୍ୟୋମତଳେ ।

ଉଡ଼ି ବୁଲୁଥିବ ସମୀର ହିଲ୍ଲୋଳ

ତୋ ଯଶ ସୁରଭି ନଭେ

ଖେଳି ବୁଲୁଥିବ ବନେ ଉପବନେ

ପାଦପ ଲତା ପଲ୍ଲବେ ।

ଊର୍ମିମାଳା ରୂପେ ଉଠୁଥିବ ଊର୍ଦ୍ଧ୍ଵେ

ମହୋଦଧି ବକ୍ଷ ଚିରି

ପୟସ୍ଵିନୀ ପୟ ଆବର୍ତ୍ତନ ଘେରେ

ଖେଳୁଥିବ ଘିରିଘିରି ।

ତୋ ଯଶ ମୁଖର କରୁଥିବ ପୁର

ବାଳବୃଦ୍ଧ ଯୋଷା ଯୁବା

ପୂଜୁଥିବେ ପ୍ରାତେ ତୋ କୀର୍ତ୍ତିପ୍ରତିମା

ଘେନି ହାତେ ପୁଷ୍ପ ଦୁର୍ବା ।

ଢାଳ ଲୋ ଆଶିଷ ଉଦୟସିଂହରେ

ରାଜ୍ୟ ତାର ସୁଶାସନୁଁ

ଧନଧାନ୍ୟ ଗୋପ- ଲକ୍ଷ୍ମୀରେ ଉଛୁଳୁ

ଯାଉ ଶତ୍ରୁଶଙ୍କା ମନୁ ।”

“ଜୟ ବୀରବାଳା” “ଜୟ ଧାତ୍ରୀ ପାନ୍ନା”

“ଜୟ ଶଙ୍କର ଭବାନୀ”

“ଜୟ ଉଦିସିଂହ” ଶୁଭିଲା ଏକାଳେ

ଜନାରଣ୍ୟ କଣ୍ଠୁ ବାଣୀ ।

 

୧ ଉଦି-ସଂଗ୍ରାମସିଂହଙ୍କ ପୁତ୍ର ଉଦୟସିଂହ । ୨ ସଙ୍ଗ-ସଂଗ୍ରାମସିଂହ ।

Image

 

ଦ୍ଵିତୀୟ ଉଚ୍ଛ୍ଵାସ

 

କୃଷ୍ଣ ଜନ୍ମତିଥି ତାମସୀ ନିଶୀଥ

ସଙ୍ଗସୁତ ଉଦି ଦୋଳିରେ ନିଦ୍ରିତ ।

ରତ୍ନ ପିତୁଳାର ଦେହୁଁ ରଶ୍ମି ସରି

ଉଦି ଅଙ୍କୁ ଝରେ ଲାବଣ୍ୟ ଲହରୀ ।

ଲୀଳାୟିତ ସ୍ମିତ ଲବଣୀ ଅଧରେ

ସୁଧା ଖେଳେ ଯଥା ବିଧୁ ବଦନରେ ।

ସୁନ୍ଦର ସରଳ ତନୁ, ରାଜକଳା

ଅଙ୍ଗେ ଅଙ୍ଗେ ତାର ହୋଇଅଛି ଢଳା ।

କୀର୍ତ୍ତିଦୀପ୍ତ ବାପ୍‍ପାରାଓ କୁଳହିତେ

ଜନମିଛି ଶିଶୁ ସଂଗ୍ରାମ ଶୋଣିତେ ।

ରାଣୀ କର୍ଣ୍ଣବତୀ ଶିଶୁର ଜନନୀ

ପ୍ରସୂତି ପ୍ରକୋଷ୍ଠେ ତେଜିଲେ ଅବନୀ ।

ଦେହ ଅବସାନ ବେଳେ ରାଣାରାଣୀ

ବିସର୍ଜି ବୁଭୁକ୍ଷୁ ନେତ୍ରପ୍ରାନ୍ତୁ ପାଣି ।

ପ୍ରେମ ପ୍ରାଣେ ଦେଇ ଅନ୍ତିମ ଚୁମ୍ଵନ

ଧାତ୍ରୀ କୋଳେ ଦେଲେ ସମର୍ପି ନନ୍ଦନ ।

ଥିଲେ ହେଲେ ଧାତ୍ରୀ କୋଳରେ କୁମର

ନେଲା ଭାର ରାଣା-ଶିଶୁ ପାଳନର ।

ସେଦିନୁ ସେ ଶିଶୁ ଉଦିର ଜନନୀ

ପାଖେ ଅଳି ତାର ଦିବସ ରଜନୀ ।

ଚନ୍ଦ୍ର ଦେଖି କେଭେଁ ପ୍ରାଚୀ ଅଭ୍ର ପଟେ

ଦେବା ଲାଗି ଆଣି କାନ୍ଦି କାନ୍ଦି ହଟେ ।

ଭାଜିଗଲେ ନିଦ ସ୍ଵପନେ ନିଶୀଥେ

ଧାତ୍ରୀବୁକୁ ଭିଡ଼ି ଧରେ ଡରି ଚିତ୍ତେ ।

ନିଜ ଶିଶୁ ସଙ୍ଗେ ଖେଳୁଥିଲେ ଉଦି

ଦେଖେ ବସି ପାନ୍ନା ବେନି ଶିଶୁ ବୁଦ୍ଧି ।

ଲୁଚେ ଏକ ଖୋଜେ ଉତ୍ସୁକେ ଅପର

ମାରେ ତାଳି ଖେଳେ ଜିତେ ଯେ ସତ୍ଵର ।

ଧାଇଁ ଧାଇଁ ଛୁଏଁ ମାଆକୁ ଯେ ଆଗ

ପାଏ ସେ ଜନନୀ ଚୁମ୍ଵନ ସୁହାଗ ।

ଫଳଟିଏ ଦେଖି ଜନନୀର କରେ

ଝାମ୍ପିନିଏ କିଏ କେଉଁ ଛଟେ ଖରେ ।

ନେଉ ନେଉ ହାତୁ କାଳେ ଗଲେ ଖସି

ଆନ ନିଏ ତାହା କରକର ହସି ।

ଜିତେ ଯଦି ଉଦି କରି କଉଶଳ

ପାନ୍ନା ପ୍ରାଣ ହୁଏ ହର୍ଷେ ଉତ୍ତରଳ ।

ଶିଶୁ ଦିଓଟିର ଚପଳ ବେଭାରେ

ସରିଯାଏ ଦିନ ସୁଖେ ତା ସଂସାରେ ।

ଦୋଳିପାଶେ ପାନ୍ନା ପାରିଅଛି ଖଟ

ଚମକିଲେ ଉଦି ଉଠି ଝଟପଟ ।

ଚାଳିଦିଏ ଧୀରେ ଦୋଳିଟିକି କରେ

ଶୋଇପଡ଼େ ଉଦି ନିଦେ ପୁଣି ଥରେ ।

କାହିଁକି ସେଦିନ ଧାତ୍ରୀ ପାନ୍ନା ମନ

ପର୍ଯ୍ୟଙ୍କେ ହେଉଛି ଘୋର ଛନଛନ ।

କାହିଁକି ନା ଉଦି ଭବିଷ୍ୟ ବିଚାର

ପଡ଼ି ଘାରିହୁଏ ମାନସ ତାହାର ।

ଚାହୁଁ ଚାହୁଁ ଚାରିଆଡ଼େ ତାର ଆଖି

ଭିତ୍ତିଚିତ୍ରେ ଯାଇ ରହିଗଲା ଲାଖି ।

ଚିତ୍ରେ କାହିଁ ପୃଥ୍ଵୀରାଜ-ଆସି ଦେଖି

ଧାଇଁଛି ଦ୍ଵିଷଦ ସଂଗ୍ରାମ ଉପେକ୍ଷି ।

ରାଣା ଭୀମ କାହିଁ ଜିଣି ଅରି ରଣେ

ପାଉଛନ୍ତି ପୂଜା ପ୍ରକୃତି ଗହଣେ ।

ସତେ କି ତା ଉଦି ବସି ରାଣାସନେ

ମଣ୍ତିବ ମିବାର ତା କୀର୍ତ୍ତିକେତନେ !

ଫେରାଇ ଆଣିବ ସତେ କି ଗୌରବ

ଦେଖିବ ବିଶ୍ଵ ତା ବିଜୟ ବିଭବ !

ସତେ କି ଆଶିଷେ ରାଜଲକ୍ଷ୍ମୀଙ୍କର

ଯଶୋଦେହେ ବଞ୍ଚି ଶତ ସମ୍ଵତ୍ସର ।

ଋକ୍ଷବୃନ୍ଦେ ପୂର୍ଣ୍ଣ କଳାକର ପରି

ଶୋଭା ପାଉଥିବ ପ୍ରଜାପୁଞ୍ଜ ଧରି !

ଏସବୁ ଭାବନା-ଜୁଆରେ ତା ଚିତ୍ତ

ପଲକେ ପଲକେ ହୁଏ ଆଲୋଡ଼ିତ ।

୧ପଡ଼ିଗଲେ କିନ୍ତୁ ମନେ ବନ କଥା

ଚିନ୍ତାଜ୍ଵରେ ଘାରିହୁଏ ତାର ମଥା ।

ମଣିଷ ନୁହେ ସେ ବନ ବଣବାଘ

ଦେଖେ ଦେଶବାସୀ ସଭିଙ୍କୁ ସେ ଛାଗ ।

ବସାଇଥିଲେ ଯେ ଆଣି ସିଂହାସନେ

ଚଳାଇଛି ଖଡ୍‍ଗ ତାହାଙ୍କ ନିଧନେ ।

ସେମାନଙ୍କୁ ଆଜି ରଖିଛି ବାହାରେ

ରତ ଥିଲେ ହିତେ ଯେଉଁ ସରଦାରେ ।

କରୁଅଛି ତୀକ୍ଷ୍ଣ ତରବାରି ଧାର

ରଖିବାକୁ ନିଜ ଗାଦି ଚିରକାଳ ।

କାଳେ ଆଗେ ତାର ପଡ଼େ ଯେବେ ଉଦି

ରଖିବ କେସନେ ହଜେ ପାନ୍ନା-ବୁଦ୍ଧି ।

ଭାବନାର ଦ୍ଵିଧା ଆବର୍ତ୍ତେ ବାଳାର

ବୁଲୁଛି କର୍ତ୍ତବ୍ୟ କନ୍ଦୁକ ପ୍ରକାର ।

ଶୁଭିଲା ଚିତ୍କାର ନଅରେ ଏକାଳେ

ଖସିଲା କି ପରି ଆକାଶୁଁ ଅକାଳେ ।

ଅକସ୍ମାତ୍ ଆସି ଯୁଗାନ୍ତ ସମୀର

ଦୁଲୁଦୁଲୁ କଲା ପ୍ରାସାଦ ପ୍ରାଚୀର ।

ମଧୁଚକ୍ରେ ହେଲେ ମୃତ୍ତିକା ପତନ

ମଧୁବ୍ରତେ ତହିଁ ଘୂରନ୍ତି ଯେସନ ।

ନରନାରୀ ତେଜି ଆତଙ୍କେ ସଦନ

ଦେଖୁଛି କେ କାହିଁ ଆଶ୍ରା ନିକେତନ ।

ଚମକି ପଡ଼ିଲା ପାନ୍ନା କିସ ଭାଳି

ଉଦିକି ଆକୁଳେ ଦେଲାକ ଅଣ୍ତାଳି ।

ସଂଗ୍ରାମଙ୍କ ବିଶ୍ଵସିତ କ୍ଷୌରକାର

ଆସି ପାନ୍ନା ଆଗେ କରି ନମସ୍କାର ।

ବୋଇଲା ବିନୟେ, “ଧରି ରକ୍ଷ ତନୁ

ବାହାରିଛି ବନ ରାଜନିକେତନୁ ।

ପ୍ରାଣାତଙ୍କେ ପୁରଜନେ କିଏ କାହିଁ

ଲୁଚିଲେଣି ରାତ୍ରିଅର୍ଦ୍ଧେ ଦୂରେ ଯାଇ ।

ତାହାର ସେ କ୍ରୂର ତରବାରି ଧାରେ

ଲୋଟିଲାଣି କେତେ ମଥା ବସୁଧାରେ ।

ମଲେଣି ସର୍ଦ୍ଦାରେ ଦେଶ ଲାଗି ଯେହୁ

ଟୋପା ଟୋପା ରକ୍ତ ଢାଳିଥିଲେ ଦେହୁଁ ।

୧ଶୁଣିଲି ବିକ୍ରମାଜିତ ତେଜି କ୍ଷିତି

ଅନ୍ତକରାଜାର ହେଲେଣି ଅତିଥି ।

ଅହୋ ! କି ପିଚ୍ଛିଳ ରାଜସିଂହାସନ

ଦେଉଁ ଦେଉଁ ପାଦ ଖସେ ମହାଜନ ।

ଦେଖି ଯାର ଶୀଳଭାବ ରାଜ୍ୟଜନେ

ବସାଇଲେ ଆଣି ସଂଗ୍ରାମ ଆସନେ ।

ବସିଛି କି ନାହିଁ ବରଜି ମମତା

ଚାଳିଅଛି ଅସି ବିପ୍ଳବେ ଜନତା ।

ଆସୁଅଛି ନେବ ଉଦିର ଜୀବନ

ଚାଲ ଏଥୁଁ ଯିବା ବାହାରି ବହନ ।

ଉଦିକି ଆସିବା ନେଇ କାହିଁ ଥୋଇ

ଏହିଟି ମୁହୂର୍ତ୍ତ ନିଦେ ଅଛି ଶୋଇ ।

ବୁଦ୍ଧିମତୀ ଜାଣି ତୋତେ ରାଣା ସଙ୍ଗ

ଛୁଉଁ ଛୁଉଁ କ୍ରୂର କାଳ ତାଙ୍କ ଅଙ୍ଗ

ଆଶାନ୍ଵିତ ନେତ୍ରୁ ଅଶ୍ରୁ ଢାଳି ଢାଳି

କୋଳେ ଦେଲେ ତାଙ୍କ ଅନ୍ତିମ ସଙ୍ଖାଳି ।

ଆସ ଆସ ଆଶୁ ଯିବା ତେଜି ପୁର

ଛିନ୍ନ ହେବ କାଳ ଉଛୁରେ ମୁକୁର ।

“ଛିନ୍ନ ହେବ” ବାଣୀ ହୋଇ ଦାବାନଳ

ପାନ୍ନା ହୃଦ-ବନ ଗ୍ରାସିଲା ଚଞ୍ଚଳ ।

ଚିନ୍ତା-କୁଲ୍ୟା ଜଳ ସେ ଉତ୍ତାପେ ତାତି

ନେତ୍ର ପଥ ଦେଇ ସିଝାଇଲା ଛାତି ।

ବିଭାସିଲା ଚିତ୍ତ ଚିତ୍ରପଟେ ରାଣୀ

ଭାଷିଥିଲେ ଧୀରେ ଯାହା ଶେଷ ବାଣୀ;

“ଲାଗିଲା ମୋ ଉଦି ତୋତେ ଟି ଲୋ ପାନ୍ନା

ଯାଉଛି ମୁଁ ପାଇ କାଳ ପରବାନା ।”

ରଖି ନ ପାରିଲେ ଏବେ ସେ ଉଦିକି

ବିଶ୍ଵାସ ବିଚ୍ୟୁତି ପାପେ ଯିବ ନିକି ?

ବନ ହାତେ ଉଦି ପ୍ରାଣ ଯିବ ଯେବେ

ଜନ୍ମଭୂମି ଦଶା ହେବ କିସ ତେବେ ?

ଏସବୁ ତା’ ମନ କରୁଛି ଅସ୍ଥିର

ଭବାନୀ ସୁମରି ନୂଆଇଲା ଶିର ।

ବୋଇଲା, “ରଖ ଗୋ ଏ ସଙ୍ଗ-ସଙ୍ଖାଳି

ଭାବୀ ମିବାରର ଏ ମରୀଚିମାଳି ।

ଯୁଗାନ୍ତ ବିପଦ ରକ୍ଷରାହୁ ଆସି

ସହସା ଦାରୁଣ ପ୍ରାଣେ ଦେବ ଗ୍ରାସି ।

ରାଣାସଙ୍ଗ ପଦପ୍ରାନ୍ତେ ବସି ତବ

ପଢ଼ି ବା ନାହାନ୍ତି କେତେ ସ୍ତୁତି ସ୍ତବ ?

ଭକ୍ତି ଭିକାରୁଣୀ ରାଣୀ କର୍ଣ୍ଣବତୀ

ଭକ୍ତି ପ୍ରାଣେ କେତେ ଉଜାଗରବତୀ ।

ବାଢ଼ି ବା ନାହାନ୍ତି ଅଧିଷ୍ଠାନେ ତବ

ବାନ୍ଧି ବା ନାହାନ୍ତି କେତେ ନେତ ନବ ?

ଶିଶୁଟିକି ନେଇ ରଖିବି କା କତି

ଦେଖାଇ ଦିଅ ମା ପଥ ଭଗବତି ।”

ବେତ୍ର ବିନିର୍ମିତ କୁସୁମପେଟରା

ଅଳିନ୍ଦେ ଦେଖିଲା ଭାବନା କାତରା ।

ଉଦିକି ଦୋଳିରୁ ତୋଳି ବେନି ହାତେ

ଚୁମ୍ଵଟିଏ ସ୍ନେହେ ଦେଇ ତାର ମାଥେ ।

ଗୋଟି ଗୋଟି ଦେଇ ଅଳଙ୍କାର କାଢ଼ି

ପେଟରାରେ ଦେଲା ଶୁଆଇ ସଜାଡ଼ି ।

ଲଳିତ ଲଲାଟେ ଧୂଳି ଦେଇ ବୋଳି

ନାପିତର ମାଥେ ଥୋଇଦେଲା ତୋଳି ।

ବୋଇଲା ତାହାରେ, “ରୁଦ୍ରେ କରି ଧ୍ୟାନ

ବୀରାନଦୀ ମୁଖେ କର ଅଭିଯାନ ।”

Image

 

ତୃତୀୟ ଉଚ୍ଛ୍ଵାସ

 

ବିଦାକି ଦେଇ ବୀରବାଳା ନାପିତେ

ଶୁଆଇ ଦେଲା ପୁତ୍ରେ ମିବାର ହିତେ ।

ଉଦିର ପରିହିତ ବାସଭୂଷଣ

ନିଜ ନନ୍ଦନେ ନିହି ଦେଲା ତତ୍‍କ୍ଷଣ

ବସିଛି ଦୋଳି ପାଶେ କୃତାନ୍ତ ସରି

ପହଞ୍ଚିଗଲା ବନ ଖଡ଼ଗ ଧରି ।

ଉଠୁଛି ଶ୍ଵାସ ବେଗ ନାସାକୁହରୁ

ବାତ ଆବର୍ତ୍ତ ଯଥା ଗିରିଗହ୍ଵରୁ ।

ଖଡ୍‍ଗମୁଷ୍ଟି ଝାଙ୍କି ଭାଷିଲା ବାଣୀ

“କାହିଁ ସେ ଉଦି ଶ୍ରୀଘ୍ର ଦେଖାଅ ଆଣି ।

ଆଶା ପାଦପେ ସେ ମୋ ପବନାଶନ

ନେବି ତା ଅସିମୁନେ ପ୍ରାଣପବନ ।

କଣ୍ଟକହୀନ ହେବ ମିବାରଗାଦି

ନାହିଁ କେ ଆଉ ଗାଦି ପାଇଁ ମୋ ବାଦୀ ।”

ଭାଷିଲା ବାଳା ନମ୍ରେ ଯୋଡ଼ି ତା ପାଣି

“କାହିଁକି ଭାଷ ପ୍ରଭୁ ଏ ରୁକ୍ଷ ବାଣୀ !

ବୁଝିତ ନାହିଁ ଶିଶୁ ସଂସାର କଥା

କଣ୍ଟକ କେହ୍ନେ ? ଛାଡ଼ି ଏ ମନୋବ୍ୟଥା ।

କଳିକା ପରେ କଲେ ନିକ୍ଷେପ ପବି

ବୀରର ପ୍ରଶଂସା କି ମିବାର ରବି ?

ପ୍ରଶାନ୍ତ ଭାବୁବଂଶ ଶିରଭୂଷଣ

ପାବନ ପଦ୍ମମୁଖୁଁ ଏ କି ଭାଷଣ ?

ଶ୍ରୀରାମ ମନେ ଲବେ ନ ପାଞ୍ଚି କୂଟ

ଭରତେ ଦେଲେ ପରା ରାଜମୁକୁଟ ।

ମଣ୍ତି ସେ ବଂଶ ଭଗୀରଥ କଳପେ

ତାରିଲେ ପିତୃକୁଳ କଠୋର ତପେ ।

ଦିଲୀପ ରଘୁ ପୁଣ୍ୟକରମା ଭୂପେ

ଆଲୋକ ଢାଳୁଛନ୍ତି ଜ୍ୟୋତିଷ୍କ ରୂପେ ।

ସେହି ପ୍ରଥିତ ବନ୍ଦ୍ୟବଂଶେ ସମ୍ଭବି

ପବି ପରାଏ କିଂପା ଦେଖାଅ ଛବି ?

ନନ୍ଦନ ବାଟିକାର ମନ୍ଦାରକଳି

ନ କର କଳୁଷିତ ଶ୍ରୀଅଙ୍ଗ ଦଳି ।

ଧରୁଛି ପାଦ ବେନି ସମ୍ଵରି ରୋଷ

ପୂଜାର ଚନ୍ଦ୍ରହାସ ଖାପରେ ଖୋଷ ।”

ଉଷର କ୍ଷେତେ ଉପ୍ତ ବୀଜ ଯେସନ

ବିଫଳ ହେଲା ବାଳା ଉକ୍ତି ତେସନ ।

ବାଡ଼ବେ ବର୍ଷାଜଳ ପରି ବିଶେଷେ

ବଢ଼ିଲା ବନ କୋପ ତା’ ଉପଦେଶେ ।

ହବି ନିକ୍ଷେପେ ହବ୍ୟବାହନ ଭଳି

ଉଠିଲା ବନ ହୃଦ ତା’ ବାକ୍ୟେ ଜଳି ।

ବୋଲେ, “ବାଚାଳୀ ଭଳି ଭାଷୁ ଏ କିସ

ହେବ କି ରାଣା ଦୀନା ଦାସୀର ଶିଷ୍ୟ ?

ଯେବେ ଲୋ ପ୍ରାଣ ପ୍ରତି ଅଛି ମମତା

ଦେଖାଅ କାହିଁ ଉଦି, ନ କହ କଥା ।”

ମାଟିଘଟରେ ବାଳା ମମତା ଲବେ

ରଖିନି, ମାତ୍ର ତାର ମମତା ଭବେ ।

ଉଦି ତା ରାଜପୁତ ଜାତି ବର୍ତ୍ତିକା

ଜଳିବ ଯେହ୍ନେ ଟେକି ଆଲୋକ ଶିଖା ।

ଆଲୋକେ ତାର ହେବ ଦେଶ ଭାସ୍ଵର

ବଂଶ ଉଜ୍ଵଳେ ପୁଲକିବେ ଭାସ୍କର ।

ଲୋଡ଼ନ୍ତା ବନ ଯେବେ ଉଦି ବଦଳେ

ଯାଆନ୍ତା ଲିଭି ଭବୁଁ ଅସି କବଳେ ।

ଦେଖାଇ ଦେଲା ଦୋଳି ନ ଭାଷି କିଛି

ମାତୃଭୂମିର ଚିର ମଙ୍ଗଳ ଇଚ୍ଛି ।

ରକତେ ଅସିଧାର କରି ରଞ୍ଜିତ

ଫେରିଲା ପୁରେ ବନ ଉଲ୍ଲାସେ ଚିତ୍ତ ।

ବନର ଆଚରଣେ ରଜନୀବାଳା

ଅନୁଭବିଲା ଅଙ୍ଗେ ଦୁର୍ବାର ଜ୍ଵାଳା ।

ବିହିଲା ଅଭିଶାପ ପେଚକ ମୁଖେ

ବୋଇଲା, “ବଜ୍ର ଛିଣ୍ତୁ ବନର ବୁକେ ।”

ନକ୍ଷତ୍ରେ ନେତ୍ରୁଁ ହିମ ସଲିଳ ଢାଳି

ବୋଲନ୍ତି,“କ୍ରୂର ବନ ମରୀଚିମାଳି

ନ ଦେଖୁ”, ରୋଧି ଧ୍ୟାତ ସମୀର ଶ୍ଵାସ

ବୋଲେ, “ନ ଲଭୁ ବନ ଶାଶ୍ଵତ ବାସ ।”

ବଧିଲା ବନ ଉଦି ବୋଲି ଯାହାରେ

ହରି ଯାହାକୁ ରଖେ ତାକୁ କେ ମାରେ ?

ନିରୀହ ବାଳ ବଧି ନରକ ପଥ

କଲା ସହଜ, ଭୁଲି ରାଜଶପଥ ।

ଦୁଃଖିନୀ ପାନ୍ନା ବନ ଯିବାରୁ ଫେରି

କାନ୍ଦିଲା ମୁଣ୍ତକୋଡ଼ି ପୁତ୍ରରେ ହେରି ।

କଟିଛି ମୁଣ୍ତ ପଡ଼େ ରକତ ଝରି

ପ୍ରତିମା ଭଳି ତଳେ ପଡ଼ିଲା ଢଳି ।

ଗଲା କି ପାନ୍ନା ପ୍ରାଣ ବିହଗୀ ଉଡ଼ି ?

ଗଲା କି ପାନ୍ନା ସବୁ କର୍ତ୍ତବ୍ୟ ହୁଡ଼ି ?

ଅଚଳ ତାର ହାତ ପାଦ ନିପଟ

ଶିଳା ପିତୁଳା ସରି ରହିଲା ଘଟ ।

ଲୋତକ ନେତ୍ରକୋଣୁଁ ଝରୁନି ଝୁରି

କାନ୍ଦିବ କାହୁଁ ଚେତା ଯାଇଛି ବୁଡ଼ି ।

ଗଢ଼ିଛି ଯେଉଁ ଆଶା ଅଟାଳି ମନେ

ହେବ ତା ଦଶା କିସ ତାର ମରଣେ ?

ଦୁର୍ନୀତି ସିନ୍ଧୁଗର୍ଭେ ମଜ୍ଜି ମିବାର

ଉଭେଇ ଯିବ ଦେଖୁଁ ଦେଖୁଁ ସଂସାର ।

ପ୍ରକୃତି ଚାଳି ବାତ ବ୍ୟଜନ ଖରେ

ପିଣ୍ତେ ତା ପ୍ରାଣ ଦେଲା ଭାଳି ଅନ୍ତରେ ।

ଉଠି ବସିଲା ବାଳା ମଳି ଲୋଚନ

ଦେଖିଲା ଫିକା ଦିଶେ ପୁତ୍ର ବଦନ ।

ଅଧରେ ଛୁଟୁନାହିଁ ଜବାତରଙ୍ଗ

ଗୋଲାପୀ ଗଣ୍ତଯୁଗ ଦିଶେ ବିଭଙ୍ଗ ।

ହଜି ଯାଇଛି ନେତ୍ର ମଞ୍ଜୁଳ କାନ୍ତି

ତାରା କି ଉଷା ନଭେ ଭଜିଛି କ୍ଳାନ୍ତି ?

ପାରୁନି ମୂର୍ଚ୍ଛି ପୁତ୍ରେ ଦେଇଣ ବଳି

ସନ୍ତୁଳି ହୁଏ ପ୍ରାଣ ପାଉନି ଜଳି ।

ବଦନୁ ବାହାରୁଛି ତପତ ଜୃମ୍ଭ

ଛିନ୍ନ ମସ୍ତକେ ଶୁଙ୍ଘି ଦିଅଇ ଚୁମ୍ଵ ।

ଯାଉଛି ଧାଇଁ କାହିଁ ମରିବା ପାଇଁ

ଉଦିର ମୋହ ପୁଣି ଆଣେ ଫେରାଇ ।

କହନ୍ତା କେହି ଯଦି “ରଖିଲି ଉଦି”

ସହସା ବାଳା ଚକ୍ଷୁ ଦିଅନ୍ତା ମୁଦି ।

ବାପରେ ଦଶ ମାସ ଗରଭେ ଧରି

ତେଜିଲି କେହ୍ନେ ହୃଦ ପଥର କରି ?

ସରଗୁଁ ଖସି କାହା ଶାପେ ଏ ଭବେ

ନେଇଥିଲୁ ଜନମ ଡାକିନୀ ଗର୍ଭେ ?

ମରତେ ଦେବତା କି ରହିଛି କାହିଁ

ଅଳପ ଦିନେ ଦିବ ମଣ୍ତିଲୁ ଯାଇ ।

ଝଡ଼ିଲୁ କଢ଼େ ବୃନ୍ତ କୋଳୁଁ ନ ଫୁଟି

ବୃନ୍ତ ବେଦନା ବାରେ ଦେଖ ଲେଉଟି ।

ଲାଗିବୁ ସିନା ତୁହିଁ ନାକ ତର୍ପଣେ

ସୁଗନ୍ଧ ନେବେ ଲୁଟି ବିବୁଧଗଣେ ।

କୀର୍ତ୍ତି କୀର୍ତ୍ତନେ ତୋର ଯୁଗଯୁଗାନ୍ତ

ମିବାର ବୁକୁ ସିନା ହେବ ପ୍ରଶାନ୍ତ ।

ଅଛି କି ବାପ ମୋର ମୁକ୍ତି ଜନମେ

କଲି ଯା ଅପକର୍ମ ଦାନବୀ ଧର୍ମେ ?

ପୁତ୍ରଘାତିନୀ ବୋଲି ସଂସାର ଗାଳି

ଦେବନି ରାଢ଼ୁଣୀକି କିରେ ସଂଖାଳି ?

ହେଲେ ମୋ’ ଅବସିତ ଶରୀର ଯନ୍ତ୍ର

ଦେବ କେ ପିଣ୍ତୋଦକ ଉଚ୍ଚାରି ମନ୍ତ୍ର ?

ରାଜପୁତ ଜାତିର ଭାବି ଭବିଷ୍ୟ

କଲି ତା, ସାକ୍ଷୀ ଧନ ଏ ଦଶ ଦିଶ ।

ବିଦ୍ରୂପ କରୁ ପଛେ ବିଶ୍ଵଜନତା

ତେଜନ୍ତୁ ପଛେ ପାଶ ଧର୍ମଦେବତା ।

ଜାତିର ଆହ୍ଵାନ ହିଁ ମହତ ମଣି

ତେଜିଛି ସବୁ ରାଜପୁତ୍ର ରମଣୀ ।

ପୁତ୍ର ଲଲାଟେ ମାରି ସିନ୍ଦୁର ଟୀକା ।

ପଠାଏ ରଣେ ତେଜି ପ୍ରଦୀପ ଶିଖା ।

ଶତ୍ରୁ ସଂହାରି ସୁତ ଫେରିଲେ ରଣୁଁ

ଉଲ୍ଲସି ଉଠେ ଦର୍ପେ ଜନନୀ ତନୁ ।

ବିଧି ବିଧାନେ ବାଟୁଁ ଆଣେ ବନ୍ଦାଇ

ଫେରିଲେ ହାରି ମୁହଁ ଦିଏ ଶୁଖାଇ ।

ପରଖି କଷଟିରେ ଜୀବନ ସୁନା

ରଖିଛି ଧରାଧାମେ ନିଜ ନମୁନା ।

ଯେଯାଏଁ ଭାସୁଥିବେ ଭାନୁ ଅମ୍ଵରେ

ଲହରୀ ଉଠି ଖେଳୁଥିବ ସାଗରେ ।

ସମୀର ଲୋଟୁଥିବ ଆକାଶେ ବୁଲି

ନାସାତର୍ପଣେ ଗନ୍ଧ ଯାଇନି ଭୁଲି ।

ସେଯାଏଁ ରାଜପୁତ ରମଣୀ ପଣ

ଅଟଳ ଥିବ ବିଶ୍ଵ ବ୍ରହ୍ମାଣ୍ତେ ଧନ ।

ଜୀବନ୍ତେ ଲଢ଼ି ଲଢ଼ି ରାଣା ସଂଗ୍ରାମ

ବିଶ୍ଵ ଜଞ୍ଜାଳୁ ନେଲାବେଳେ ବିଶ୍ରାମ ।

ଉଦିକି ଟେକି ଦେଇଥିଲେ ମୋ କୋଳେ

ସୋଦର ସମ ଦେଖୁଥିଲୁ ତୁ ଡୋଳେ ।

ଜନମ ସିନା ତୋର ଧାତ୍ରୀ ଉଦରେ

ବଢ଼ିଲୁ ରାଜହର୍ମ୍ମ୍ୟେ ଧନ ଆଦରେ ।

ରତନଦୋଳି ପରେ ଶୁଅଇ ଉଦି

ଶୋଉ ତୁ ପାଖେ ତାର ଦୋଳିରେ କୁଦି ।

ଖାଇ ବସିଲେ ଉଦି ବସୁ ତୁ ଖାଇ

ଖାଉ ଖାଉ ତା ହାତୁଁ ଆଣୁ ଛଡ଼ାଇ ।

ଖେଳ ସକାଳେ ସଞ୍ଜେ ଦୁହେଁ ଅଳିନ୍ଦେ

ନିଶାରେ ଶୁଅ ଦୁହେଁ ପର୍ଯ୍ୟଙ୍କେ ନିଦେ

ଲବେ ନିମିଷେ ନ ଦେଖିଲେ ଉଦିରେ

ଅଳିନ୍ଦେ ଗଡ଼ୁ କାନ୍ଦି କାନ୍ଦି ହଟି ରେ ।

ଲୁଚିଲା ଦିନେ ଖେଳେ, ଯା ହେତୁ ଧନ

ଅସ୍ଥିର ହେଲା ଦେଖିବାକୁ ତୋ ମନ ।

ବୁଝିଲୁ ନାହିଁ ଆସି ସେ ହସି ହସି

“ଜିତିଲି” କହି ଗଲା ମୋ କୋଳେ ବସି ।

ବର୍ବର ବନ ଖଡ୍‍ଗୁଁ ତା ରକ୍ଷା ଲାଗି

ପାଷାଣୀ ହେଲି ପୁତ୍ରେ, ନେଉଛି ମାଗି ।

ବିଭୁ କୃପାରେ ଉଦି ପାଇଲେ ଗାଦି

ନେବି ତୋ ପାଶେ ବଳା, ଚିର ସମାଧି ।

 

ଚତୁର୍ଥ ଉଚ୍ଛ୍ଵାସ

 

(୧)

ବାଳାର ପୁତ୍ର ବିଚ୍ଛେଦେ ଖେଦେ ନିୟତି ବିରୁଦ୍ଧେ

ବିହିଲା ପ୍ରକୃତି ଯାତ୍ରା ଘୋର ନିଶୀଥେ

ପୁରତେ ପେଚକ ଥାଟ ଚାଲିଲେ ବତାଇ ବାଟ

ଶିବଶିବା ଶଙ୍ଖଧ୍ଵନି କଲେ ଇଙ୍ଗିତେ

ବଳାହକ ଶବଦ ଛଳେ

ଅଭିଯାନ ବାଦ୍ୟଧ୍ଵନି ଉଠେ ଅମ୍ଵରେ ।

(୨)

ଟପଟପ ଜଳଟୋପା ବ୍ୟପଦେଶେ ଲୌହଥୋପା

ଖସୁଛି ଘନ କମାଣୁ ନିରବଚ୍ଛିନ୍ନ

ବିଦ୍ୟୁ ବ୍ୟାଜେ ବହ୍ନିବାଣ ବିନ୍ଧୁଛି ପ୍ରକୃତି ଟାଣ

ଭାଙ୍ଗିବାକୁ ନିୟତିର ଦର୍ପ କଠିନ ।

ଭୀଷଣ ତୋଫାନ ସାଗରେ

ବାଳାଯାତ୍ରା ତରୀ ଗତି “ବୀରା” ଦିଗରେ ।

 

(୩)

ଉପାଡ଼ି ତୀର ପାଦପେ ଚାଲିଛି ନଦୀ ସଦର୍ପେ

ଭୀମ ନତ୍ର ଶିଶୁମାର ସଲିଳଚର

କୁତୁହଳେ ଲୀଳା ରଚି ଲଙ୍ଘି ବଡ଼ ବଡ଼ ବାଚୀ

ଭୟ ଭିଆଣେ ତତ୍ପର ନଦୀ ଉଦର ।

ଭାସମାନ ବିଟପୀ ଧରି

ହେଲା ବାଳା ବୀରା ପାରି ଶମ୍ଭୁ ସୁମରି ।

(୪)

ଦେଖି ଏକା ଉପଗତ ବାଳା ସମୀପେ ନାପିତ

ପୁଚ୍ଛେ “ପୁତ୍ର ଦେଲୁ ଥୋଇ କାହା ଆକଟେ”?

ବୋଲେ ବାଳା ଖିନ୍ନ ଗିରେ, “ଦେଲି ବଳି ବନବୀରେ

ମିବାର ମଙ୍ଗଳ ଲାଗି ଉଦି ପାଲଟେ

ନେଲା ବନ ତା ମୃଦୁ ପ୍ରାଣ

ଦେଖ ଦେଖ ଭାଇ ଏବେ ଉଦିର ତ୍ରାଣ ।”

(୫)

ରାଜ ଅବରୋଧ ଧାତ୍ରୀ ନିରୁପମ ଦେଶପ୍ରୀତି

ବିପୁଳ ତ୍ୟାଗ ନାପିତ ହୃଦକନ୍ଦର

ତୀବ୍ର ଆଲୋଡ଼ନେ ଜାଳି ବିବେଚନା ଦେଲା ଝାଳି

ଉଚ୍ଛୁଳିଲା ପାନ୍ନା ପ୍ରତି ଭକତି ଝର

ପୁଲକିଲା ତନୁ ବିଭୋରେ

ଛଳଛଳ ଚକ୍ଷୁଯୁଗ ବାଷ୍ପକଲ୍ଲୋଳେ ।

(୬)

ନେଇ ପାନ୍ନା-ପାଦଧୁଳି ନିଜ ଭାଲପଟେ ବୋଳି

ଯୋଡ଼ି ହାତ ବାଣୀ ଭାଷେ ବିନମ୍ରେ “ତୁମେ

କିଏ ମା ଏ ଧରାତଳେ ମାଟିର ମାନବୀ ଛଳେ

କଳେବର ଧରି ଖେଳ ମିବାରଭୂମେ ?

ଏ ତ୍ୟାଗ ତ ତ୍ରିଦିବେ କେହି

ଦେଖାଇନି ଦେବୀ ଅବା ବୋଲିବି କେହି ?

(୭)

ବୋଲନ୍ତି ବା ନାଗବାଳା ନାଗରାଜା ଅଳିଅଳା

ଝାଡ଼ନ୍ତି ସେ ବିଷ ଜଳି ଅହମିକାରେ

ବୁଝୁଛି ବୀରେନ୍ଦ୍ରପୁର ବୀରବାଳା ଅଳଙ୍କାର

ତ୍ୟାଗ ମୂର୍ତ୍ତିମତୀ ଓହ୍ଲାଇଛ ଧରାରେ

ମିବାରର ଶ୍ରଦ୍ଧା ସ୍ଵାଗତେ

ଅଳଂକୃତ କଲ ଶୁଦ୍ଧ କର୍ତ୍ତବ୍ୟ ପଥେ ।”

 

(୮)

କୀର୍ତ୍ତିନେ ହସି ଈଷତ ବିଲୋକି ବାଳା ନାପିତ

ବୋଲେ, “ଜନନୀରୁ ବଡ଼ ଜନମଭୂମି

କହୁ ବା କେ ମୋତେ କିସ ବିନ୍ଧୁ ଛେଲ ଦଶ ଦିଶ

ହେଉ ପଛେ ଏ ଜୀବନ ନରକକୃମି

ଭାବିଲି ଯା କର୍ତ୍ତବ୍ୟ ବୋଲି

କଲି ତା ଜନନୀ ଲାଗି ଅନ୍ତର ଖୋଲି ।

(୯)

ପୁତ୍ର କରି ଶୂନ୍ୟ କୋଳ ଚଳିଲା ବୋଲି ବିକଳ

ହୁଏ ସିନା ମନ ମୋର ବୋଲି ଜନନୀ

କୋଟି କୋଟି ଜନତାର ଆଶିଷେ ଅମରପୁର

ମଣ୍ତିଲା ବରଜି ଏ ମାଟିର ଅବନୀ

ଦେଇଥାନ୍ତା ଦିନେ ଜୀବନ

ଦେଶ ଲାଗି ଦେଇ ଆଜି ହେଲା ପାବନ ।

(୧୦)

ଲିଭିଛି ଦେଶ ଉଦ୍ଧାରେ ପାଛୋଟି ନେଇ ଅମରେ

ବନ୍ଦିବେ ବିପୁଳ ବେଗେ ପୂଜା ସମ୍ଭାରେ

ତାର ତ୍ୟାଗ ତେଜେ ଜଳି ଅଗଣିତ ନରନାରୀ

ହସିବେ ସଜ କୁସୁମ ସରି ମିବାରେ

ନୁହେ ଦେଶ ବଣ ପାହାଡ଼

ମାଆ ସେ ମାଟି ପାଷାଣ ମାଉଁସ ହାଡ଼ ।”

(୧୧)

ପୁତ୍ରସ୍ନେହେ ଢଳଢଳ ଜୀବନଗ୍ରନ୍ଥି ଚପଳ

ବାଳା ପାନ୍ନା ପ୍ରାଣେ ମାତୃଭୂମି ମମତା

ଅନୁଭବି କ୍ଷୌରକାର ପ୍ରଶଂସି ମନେ ଅପାର

ବୋହିଲା ପୁଷ୍ପପେଟିକା ନୁଆଇଁ ମଥା

ବାଳାର ସଂକେତେ ସଧୀରେ

ପୁରତେ ଚାଲିଲା ସେଇ ଘୋର ତିମିରେ ।

(୧୨)

ବନ୍ଧୁର ଶିଳାସଂକୁଳ ବାରି ହେଉ ନାହିଁ କୂଳ

ପଥପାରୁଶ ନିବିଡ଼ ତରୁ ବଲ୍ଲୀରେ

“ଗିରିଦୁର୍ଗ” ଉପଲକ୍ଷି ମନେ ଧ୍ୟାୟି ଭବାନୀଙ୍କି

ଦୁହେଁ ଚାଲିଛନ୍ତି ଦୃଷ୍ଟି ରଖି ଉଦିରେ

ପଥପଙ୍କେ ପୟର ଖସେ

ଉପଗତ ହେବେ କେହ୍ନେ ଚିନ୍ତା ମାନସେ ।

 

(୧୩)

ପଡ଼ିଗଲେ ମନେ ବନ ହୃଦ ହୁଏ ଛନଛନ

ପାନ୍ନା ପଛେ ଚାହେଁ ପତ୍ର ହେଲେ ଧ୍ଵନିତ

ବନକୃପାଣ ଝଙ୍କାର ମଣି ପାଦ ଥରେ ତାର

ପ୍ରାଣପ୍ରଜ୍ଞା ଯାଏ ହଜି, ହୁଏ ଚକିତ

ବାରିକର ମଥାପେଟିକା

ଆବେଗେ ଅଣ୍ତାଳି ଦିଏ ସ୍ମରି କାଳିକା ।

(୧୪)

ସ୍ଵାଗତ ଅର୍ଚ୍ଚନେ ପୂଷା ନଭୁ ଖସୁଥିଲା ଉଷା

ପ୍ରବାଳ ପିହିତ ବାତବିମାନେ ବସି

ହେଲେ ଯାଇ ଏହି କାଳେ ଦେବଳ ରାଜଦୁଆରେ

ବିଲୋକିଲେ ଉଷାରୁଣେ ଉଠୁଛି ହସି

ଶୋଭାର ଲହରୀମାଳାରେ

ରାଜପୁର ଉଠେ ପଡ଼େ ଶମ୍ପାଛଟାରେ ।

(୧୫)

ଅପୂର୍ବ ଅତିଥି ବେନି ଦେଖି ଦ୍ଵାରବାନ ଭାଣି

“ଆଗତ କିପାଇଁ ? କରଣ୍ତିକାରେ କିସ ?

ବିପଦ ବ୍ୟାଘ୍ର କବଳୁ ପାର ପାଇ କେଉଁଠାରୁ

ଲୋଡ଼ୁଛ ଶରଣ କିବା ଦେବଳାଧୀଶ ?

ନିବେଦିବି ରାଣା ଛାମୁରେ ?

ଏ ଦଶା ଦେଖି ମୋ ହୃଦ ଥରେ ଆତୁରେ ।”

(୧୬)

ସହାନୁଭୂତିରେ ବାଳା- ଭଗ୍ନପ୍ରାଣ ତନ୍ତ୍ରୀ କଲା

ମୂର୍ଚ୍ଛନ କଲ୍ଲୋଳେ ହେଲା ମଧୁମୁଖର

ଆଶାର ପ୍ରବାହେ ଭାସି ଦ୍ଵାରବାନେ କହେ ଶଂସି

“ବଚନ ଅମୃତେ ଖେଦ ଶୁଷ୍କ ଅନ୍ତର

କଲୁ ଉଜ୍ଜୃମ୍ଭିତ ସୋଦର

ରାଣା ସନ୍ନିଧେ ଜଣାଣ ଅଛି ମୋହର ।”

(୧୭)

ସେ ଦୟାଳୁ ଦ୍ଵାରରକ୍ଷୀ ବାଳାର ବିନତି ରଖି

ନିବେଦିଲା ଯାଇ ରାଣା ଚରଣ ଦେଶେ

ବାଳା ରାଣା ନିମନ୍ତ୍ରଣେ ପହଞ୍ଚି ଶ୍ରୀ ସନ୍ନିଧାନେ

ଓଳଗି ଭାଷିଲା ନମ୍ରେ ଉଦି ଉଦ୍ଦେଶ୍ୟେ

“ରଖ ରଖ ସଂଗ୍ରାମ ବାଳ

ଆଣିଛି ଯତନେ ବନମୁଖୁଁ ଭୂପାଳ ।

 

(୧୮)

ଉଦାର ରାଣା ସଂଗ୍ରାମ ତେଜିଲା ବେଳେ ଏ ଧାନ

ଅରପି ଶିଶୁଟି ମୋରେ ମୁଦିଲେ ଆଖି

ବନବୀର ତରବାରି- ଧାରେ ପୁତ୍ର ଦେଇ ବଳି

ଆଣିଛି ଉଦ୍ଧାରି, ମୂଢ଼ ରହିଛି ଟାକି

ଶ୍ରୁତ ତବ ପ୍ରାସାଦ ଭୂତି

ଆଶ୍ରା ଦେଇ ରଖ ଆର୍ଯ୍ୟ, ସଂଗ୍ରାମ ସ୍ମୃତି ।”

(୧୯)

ଦୁରାଚାର ବନବୀର ନାମ ଶୁଣି ସେ ନୃବର

ପ୍ରମାଦ ଗଣି ଭଣିଲେ ସୁମିଷ୍ଟ ସ୍ଵରେ

“ବିଶ୍ଵବନ୍ଦ୍ୟ ସେ ସଂଗ୍ରାମ ଶୁଣାଇଲ ତାଙ୍କ ନାମ

ମୋ ଜୀବନ ହେଲା ପୂତ ତପନତଳେ

ସାହସକୁ ଧନ୍ୟ ତୋ ବାଳା

ତ୍ୟାଗେ ତୋର ଉଜଳିବ ମିବାର ସାରା ।

(୨୦)

ପାଲଟିଛି ବନ ବାଘ ଦୁର୍ଗପତି ସର୍ବେ ଛାଗ

ଦୁଲୁକୁଛି ଏ ମିବାର ତା’ ତାନମାନେ

ଏଥି ଅଛି ସଙ୍ଗବାଳ ଜାଣିବ ଯଦି ବର୍ବର

ନେବ ପ୍ରାଣ ଆସି ଆଶୁ ଲୋ ଅଭିଯାନେ

ପାରୁନି ମୁଁ ଦେଇ ଭରସା

ଆନ ଦୁର୍ଗେ ଦେଖ ଯାଇ ଆଶ୍ରା ସହସା ।”

(୨୧)

ଦେବଳ ଦୁର୍ଗେଶ ବାଣୀ ଅଶନି ଆଘାତ ମଣି

ଚକିତେ ମିଳାଇ ଦେଇ ବାଳା ବଦନ

ମାଟି ପରି ଗଲା ଦବି କିସ କିସ ଗଲା ଭାବି

ଭାବନା ନୀରଧି ନୀରେ ମଜ୍ଜାଇ ମନ

ଘୋଷେ ବିଶ୍ଵ ଯେ ଜାତି ଖ୍ୟାତି

ଦେଖି ଏ ଭୀରୁତା କଲା ପଥର ଛାତି ।

(୨୨)

ପ୍ରତ୍ୟାଖ୍ୟାନେ ଆଗୁଁ ଟାଣ ମାନସେ ବାଳା ଭୂଷଣ

ବିହିଲା ପ୍ରୟାଣ ଦୁର୍ଗ ଦୁଙ୍ଗର ମୁଖେ

ପଥେ ପାଦପ ଝଙ୍କାରେ ଭାଜିଗଲେ ନିଦ ଡରେ

ଲାଡ଼େ ହାତ ପାଦ ଉଦି ନିଦ୍ରାର ଝୁଙ୍କେ

କ୍ଷୌରକାର ଶିରେ ପେଟିକା

ଇତସ୍ତତଃ ହୁଏ ଯଥା ବାତେ ଲତିକା ।

 

(୨୩)

ଦେଖି ତା ବାଳା ଲୋଚନ- ଯୁଗୁଁ ଝରେ ଉଷ୍ଣ ବନ

ଦୁକୂଳେ ପୋଛି ଉଦିକି କୋଳକୁ ଆଣି

ଆଉଁସି ଦେଇ ତା ତନୁ ଚୁମ୍ଵି ଦେଇ ସ୍ନେହେ ହନୁ

ବିଷାଦେ ଲଲାଟେ ମାରେ ଦକ୍ଷିଣ ପାଣି

କୋଳେ ନିଦେ ଶୋଇବା ଦେଖି

ପେଟିକାରେ ପୁଣି ଦିଏ ଥୋଇ ସେ ଟେକି ।

(୨୪)

ଦୀର୍ଘ ବନ ଗିରି ରାହା କି ରୁକ୍ଷ ବନ୍ଧୁର ଆହା !

ଦୁଇ ପାର୍ଶ୍ଵେ ଉଭା ସାନ୍ଦ୍ର ତରୁ ବ୍ରତତୀ

କାନନ ଶ୍ଵାପଦକୁଳ ବିହନ୍ତି ପ୍ରାଣ ଆକୁଳ

ସଂଚାଳି ପକ୍ଷ ଝାଡ଼ନ୍ତି ନୀଡ଼ ପତତ୍ରୀ

ବିକଟ ପ୍ରକୃତି ଭିତରେ

ଚାଲିଛନ୍ତି ଆଗେ ପଛେ ଦୁହେଁ ପଥରେ ।

(୨୫)

ପ୍ରାଚୀଭାନୁ ସ୍ନିଗ୍‌ଧ କର ମଣ୍ତିଛି ଅମରତଳ

ନିନ୍ଦି ତପ୍ତ ଜମ୍ଵୁନଦ କାନ୍ତି ଝଲକେ

ଦୁଙ୍ଗର ଦୁର୍ଗମଣ୍ତନ ନରରାଣ ଐଶକର୍ଣ୍ଣ

ସମୀପେ ମିଳିଲେ ଦୁହେଁ ସିକ୍ତ ପୁଲକେ

ବସିଛନ୍ତି ରାଣା ପ୍ରାଙ୍ଗଣେ

ପ୍ରଣମିଲା ଯୋଷା କର ଯୋଡ଼ି ଚରଣେ ।

(୨୬)

ବୋଲେ, “ହେ ନୃପ ଆଦର୍ଶ ଶୁଣି ଦୁର୍ଗ ଇତିହାସ

ଆଣିଛି ଶିକାରୀ ହାତୁଁ ଶିକାର ଟାଣି

ବନବୀର ଅସିମୁନେ ମିବାରର ମହାଜନେ

ନେଲେଣି ଅକାଳେ ଭବଧାମୁଁ ମେଲାଣି

ରଖ ପ୍ରଭୁ ଦୁର୍ଗର ମାନ

ଦେଇ ଏ ରାଣା ସଂଗ୍ରାମ ଶିଶୁକୁ ଥାନ ।

(୨୭)

ଅଟଳ ବିଶ୍ଵାସ ପୋଷି ସଂକଟ ସାଗରେ ଝାସି

ଆପଣାକୁ ଧାଇଁଥିଲା କଷଣ ଭୋଗି

ରୋଗ ଚିହ୍ନି ଚିକିତ୍ସକ କଲେ ମନ ଅନିଚ୍ଛୁକ

ଭେଷଜରେ କି କରେ ବା କହତ ରୋଗୀ ?

ଭାଷିଲେ ଦୁଙ୍ଗର ଭୂପାଳ

“କାଳ ବିପର୍ଯ୍ୟୟେ ଆଜି ସିଂହ ଶୃଗାଳ ।

 

(୨୮)

ବୀର ରାଜପୁତ ଜାତି ଗୃହ ଗୋଳମାଳେ ମାତି

ଛାରଖାର କଲେ ଦେଶ ଖ୍ୟାତ ସଂହତି

ଏ ସୁଯୋଗ ଖୋଜି ବନ ରଚିଛି ଲୋ ଅଭିଯାନ

ଲିଭାଇ ଲିଭାଇ ଦେଶ ଉଜ୍ଜ୍ଵଳ ବତୀ

ଦେବା ଲାଗି ଶିଶୁକୁ ଆଶ୍ରା

ଦବିଯାଏ ହୃଦ, କଣ୍ଠୁ ନ ସ୍ଫୁରେ ଭାଷା ।”

(୨୯)

ତୀରାହତ ମୃଗପତି- ସତୀ ତୁଲ୍ୟା ସେ ଧୀମତୀ

ଦଗ୍‌ଧ ପ୍ରାଣେ ପ୍ରତ୍ୟାଗତା ସେ ଦୁର୍ଗୁଁ ତ୍ଵରା

ଭାବିଲା, ପୁଷ୍କଳ ଖ୍ୟାତି ସହି ନ ପାରି ନିୟତି

ବିଷନେତ୍ରେ ଦେଖୁଅଛି ମିବାର ଧରା

ବୀର ଧମନୀର ଶୋଣିତ

ପାଣି କରି ଲିଭାଇଛି ଜାତି ଅତୀତ ।

(୩୦)

ତେଜି ବାଳା ମନୁ କୋହ ଧରି ବିପୁଳ ଉତ୍ସାହ

ପ୍ରସ୍ଥିତା କମଳମୀର ଭବିଷ୍ୟ ସ୍ମରି

ବିଡ଼ିବା ଲାଗି ବାଳାର ମନୋବଳ ଅଭ୍ରବର

ଘୋଟିଲା ଅଭ୍ର ଅବନୀ ଅନ୍ଧାର କରି

ତମ ରୂପାୟିତ ବାସର

କରେ ଥଟା ମରକତ ପ୍ରାସାଦବର ।

(୩୧)

ତୋରଣ ବ୍ୟାଜେ ଲମ୍ଵିତ ବ୍ୟୋମବିତାନ ବିମ୍ଵିତ

ଶକ୍ରଚାପ ସେ ପ୍ରାସାଦ ମଞ୍ଜୁ ମୁକୁଟ

ଧାରାପାତ ବାତାୟନ- ଶଳାକା ଶୋଭମର୍ଦ୍ଦନ

ବାନା ବିଦ୍ୟୁ, ପୁଷ୍ପଗୁଚ୍ଛ ସାରସ କୂଟ

ନାହିଁ ପଟାନ୍ତର ଶୋଭାର

ସତେ କି ତା ବିଧିସୃଷ୍ଟ ଚିତ୍ରଭଣ୍ତାର !

(୩୨)

ବିଲୋକି ପ୍ରକୃତି ଲୀଳା ପ୍ରକୃତି ରସିକା ବାଳା

ହସି ଦେଇ ସିକ୍ତ ଦେହେ ଚାଲେ ଶପଥେ

କେତେବେଳେ କଣ୍ଟା କାହିଁ ଫୁଟି ରକ୍ତ ଗଲେ ବହି

ବସିଯାଏ ଲବେ ଦଣ୍ତେ ପଙ୍କିଳ ପଥେ

ତମ ଅନ୍ତରୀକ୍ଷ ତଡ଼ିତ

ଏଦୁର୍ଦ୍ଦିନ ଗତିପଥେ କେବଳ ମିତ ।

 

(୩୩)

କାହିଁ ବା ସରେ ମରାଳୀ କୋମଳ ମୃଣାଳ ଧରି

ଛୁଆ ତଣ୍ଟେ ଦିଏ ଧୀର ପ୍ରେମ ଆବେଗେ

ମରାଳୀର ସେ ବିମଳ ବତ୍ସଳ ଭାବେ ବାଳାର

ବିସ୍ମୃତ ସନ୍ତାନ ଶୋକ ଉଛୁଳେ ବେଗେ

ଦେଖି ଦେଖି କିସ ବା କାହିଁ

ଯାଉ ଯାଉ ଭିଲ୍ଲପଲ୍ଲୀ ଭେଟିଲେ ଯାଇ ।

(୩୪)

ବିପର୍ଯ୍ୟୟ ଅବଲୋକି ସେ ଦୁଇ ଯାତ୍ରୀରେ ଡାକି

ଆଶ୍ରା ଦେଲେ ପଲ୍ଲୀଭିଲ୍ଲେ ପତ୍ରପଲାଳେ

ଶୁଣିଣ ଆମୂଳଚୂଳ ଇତିବୃତ୍ତ ସେ ଯାତ୍ରାର

ଆଣି ପୁଷ୍ପ ମଣ୍ତିଦେଲେ ବାଳା ଗଳାରେ

ଫଳେ ତୋଷି ବେନି ଉଦର

ମନାସି କଲ୍ୟାଣ ଦେଲେ ବିଦା ସତ୍ଵର ।

(୩୫)

ମିଳେ ଯାହା ଯହିଁ ଖାଇ ରଜନୀ କାହିଁ କଟାଇ

ଉପଗତ ଶେଷେ ଦୁହେଁ କମଳମୀରେ

କୁମ୍ଭମେରୁ ଦୁର୍ଗସଞ୍ଚ ପ୍ରକୃତିର ରଙ୍ଗମଞ୍ଚ

ମୁଗ୍‌ଧ କରେ ମନ ଅନୁପମ ଛବିରେ

ମନୋଜ୍ଞ ସେ ରାଜନଅର

ଜୈନଧର୍ମୀ ଆଶାଶା ସେ ପୁରେ ନୃବର ।

(୩୬)

ଦୀକ୍ଷିତ ଅହିଂସାବ୍ରତେ ପାଳନ୍ତି ପ୍ରକୃତି ମତେ

ଉଚ୍ଛୁଳେ ମୁଲକ ଧନ ଧାନ୍ୟ ଜୁଆରେ

ରାଣା ଅନୁମତି ବାଣୀ ଲଭି ତୋଷେ ବାଳାମଣି

ପହଞ୍ଚିଲା କ୍ଷୌରକାର ସହ ଦୁଆରେ

ଘେନି ଉଦି ଯତନେ ବକ୍ଷେ

ବିହିଲା ପ୍ରଣତି ମିଳି ନୃପତି କକ୍ଷେ ।

(୩୭)

ନିବେଦିଲା ତହୁଁ ବାଳା ବିନୀତ କଣ୍ଠେ ସରଳା

ଶିଶୁରେ ଦେବାକୁ ଆଶ୍ରା ରାଜଦୁଆରେ

ଶୁଣି ସବୁ ସୁସ୍ଥ ଧୀରେ ସେ ଆଶାଶା ପ୍ରାଣ ଡରେ

ବୋଇଲେ, “ମୁଁ ଅଭାଜନ ଆଶ୍ରା ଦେବାରେ”

ରବି ତାପେ ଗଙ୍ଗଶିଉଳୀ

ବୀରବାଳା ମନ ଗଲା ତଥା ଝାଉଁଳି ।

 

(୩୮)

ସମୀପେ ଥିଲେ ଜନନୀ କୁମରର ବାଣୀ ଶୁଣି

ଭାଷିଲେ, “ନ ଭାଳି ବତ୍ସ, କହୁରେ କିସ ?

ହେଇଟି କାଳିର କଥା ସେ ସଂଗ୍ରାମ ମହାରଥା

ଦେଇଥିଲେ ଏ ଆସନ ଢାଳି ଆଶିଷ

ଏ କମଳମୀର ମୁଲକେ

କାହା ହେତୁ ରାଣା ଆଶ୍ରା ରଖ ଏ କକ୍ଷେ ?

(୩୯)

ବିଶ୍ଵଚକ୍ଷେ ଦେଇ ଧୂଳି ଉପକାର ଗଲେ ଭୁଲି

କାଳ ଦେବ କରତାଳି, ନିନ୍ଦିବେ ଜନେ

ଶାଶ୍ଵତ ପଥରୋଧକ ସନ୍ଥ ବିଶ୍ଵାସଘାତକ

କଳୁଷେ ହେବୁ ଦୂଷିତ ତିନି ଭୁବନେ

ଛାଡ଼ ଛାଡ଼ ଛାଗଳ ଭୟ

ରାଜପୁରେ ବଢ଼ୁ ଉଦି ସଙ୍ଗତନୟ ।

(୪୦)

ସତ୍ୟପଥେ ଥାଉଁ ଥାଉଁ ଆସୁ ଯେତେ ଦୁଃଖ ଦାଉ

ଧର ଧୈର୍ଯ୍ୟ ସ୍ମରି ପୂର୍ବ ଜାତି ଶପଥ

ଘଟୁ ପଛେ ଦେହ ନାଶ ଯାଉ ରାଜ୍ୟ ବାସଗ୍ରାସ

ଆଶ୍ରାଦାନେ ଏ ଶିଶୁରେ ନ ହୁଡ଼ ପଥ

କୁମ୍ଭମେରୁ ଦୁର୍ଗ ଐତିହ

ଘୋଷୁ ବିଶ୍ଵ ସଙ୍ଗସୁତେ ଦିଅ ଆଶ୍ରୟ ।”

(୪୧)

ଜନନୀର ଉଦ୍‌ବୋଧନେ ସେ ଆଶାଶା ତ୍ରସ୍ତମନେ

ଉତ୍ସାହ-ଉତ୍ତାପେ ହୋଇ ତ୍ଵରା ଉଭାର

ବୋଇଲେ ବାଳା ବିଲୋକି “ଆଣ ଆଣ ଲୋ ଉଦିକି

ମଣ୍ତୁ ମୋର ରାଜପୁର ନେଲି ତା ଭାର

କି କରିବ ଛାର ସେ ବନ

ଅଚିରେ ଦେଖିବ ସଂଯମନୀ ସଦନ ।”

(୪୨)

ନଭ ଝଡ଼ଝଞ୍ଜାମୁକ୍ତ ଉଜ୍ଜ୍ଵଲ ସାଧନା ପଥ

ବିଭାସିତ ଦଶ ଦିଶେ ଦୀପ୍ତ ମୟୂଖ

ଚାରୁ ଲୋଚନଯୁଗଳ ହର୍ଷବାଷ୍ପେ ଛଳଛଳ

ତିରୋହିତ ପଥଶ୍ରମ ଜନିତ ଦୁଃଖ

ଗଦଗଦ ଭକତି ଭୋଳେ

ପାଦେ ନମି ବାଳା ବିଦା ନେଲା ଚିତୋରେ ।

Image

 

ପଞ୍ଚମ ଉଚ୍ଛ୍ଵାସ

 

ଭଗିନୀର ପୁତ୍ର ରୂପେ ପରିଚିତ

କୁମ୍ଭମେରୁପୁରେ ଉଦି

ଦରୋଟି ବଚନେ ହସାଇଲା ଜନେ

ଆହା କି ସରସ ବୁଦ୍ଧି !

ଚାରି ପୂରି ପାଞ୍ଚେ ଦେଇଛି କି ନାହିଁ

ପାଦ, ତା କଥା ଚଳାକି

ଦେଖି କଉତୁକ କରେ କିଏ ସଙ୍ଗେ

ଖେଳୁ ଖେଳୁ ତାକୁ ଡାକି ।

ବୀଣା ପରି କୋଳୁ କୋଳେ ଖେଳି ଖେଳି

ଚନ୍ଦ୍ରକଳା ପରି ବଢ଼ି

ବିତରିଲା ଫୁଟି ଫୁଟି ସଉରଭ

ନନ୍ଦନ ମନ୍ଦାର କଢ଼ି ।

ରାଜ ଅବରୋଧେ ରାଣା ରାଣାମାତା

ପ୍ରୀତି ଅନୁରାଗେ ଜଡ଼ି

ପୁତ୍ରରୁ ଅଧିକେ ଆଦରରେ ବଢ଼ି

“ମୁହୂର୍ତ୍ତେ” ଛୁଇଁଲା ଖଡ଼ି ।

ବାପା ବୋଲି ଡାକେ ରାଣାରେ କୁମର

ଡାକେ ମାଆ ମହିଷୀରେ

ଜେଜେମାତା ବୋଲି ଖେଳି କୋଳେ ଡାକେ

ରାଣା ବୃଦ୍ଧା ଜନନୀରେ ।

ବୃଦ୍ଧା ପରା ତାର ଜୀବନ ପାଦପେ

ଇଡ଼ୁଥାଏ ଯତ୍ନ-ପାଣି

ପଲ୍ଲବିବା ପାଇଁ ନିରାପତ୍ତା-ଭୂମେ

ସଦା ବେଳ କାଳ ଜାଣି ।

କେ ଜାଣି କାହିଁକି ରାଣା ଜନନୀର

ଉଦି ଥିଲା ଗଣ୍ଠିଧନ

ନିଜର ସନ୍ତାନୁ ସମଧିକ ସ୍ନେହେ

ଦେଖେ ଦେଇ ପ୍ରାଣ ମନ ।

ଖାଇ ନ ଜାଣିଲେ ଖୁଆଇ ଦିଏ ସେ

କୋଳେ କରି କରି ଗେଲ

କୁଣ୍ତାଇ ଦିଏ ସେ କଙ୍କତିକା ଆଣି

ମୁଣ୍ତେ ମାଖି ମାଖି ତେଲ ।

ଖେଳାବୁଲା ସାରି ଫେରି ଆସେ ଉଦି

ଧୂଳିଆ ଧୁସର ଅଙ୍ଗେ

ସ୍ନେହସିକ୍ତ କୋପେ ଗାଳିଦେଇ ନିଏ

ଝାଡ଼ିଝୁଡ଼ି ବସ୍ତ୍ରମଙ୍ଗେ ।

ରାଣା ଜନନୀର ଦେଖି ସେ ଆହ୍ଲାଦ

ବିସ୍ମୟେ ସକଳ ଦାସୀ

କେତେ ଭାଗ୍ୟ କରି- ଥିଲା ଏ କୁମର

ବୋଲି କେ କାହାକୁ ଭାଷି ।

ଅଳପ ଦିନରେ ସବୁ ପାଠ ସାରି

ପୁଷ୍ପେ ପରିଣତ କଢ଼

ପ୍ରତିଭା ବିଲୋକି କୁତୁହଳେ ଗୁରୁ

ଭାଷନ୍ତି “ହେବୁ ତୁ ବଡ଼ ।”

ପାଠ ପଢ଼ୁପଢ଼ୁ ଶିଖିଲା କୁମର

ବନ୍ଧୁକ ବିନ୍ଧା କୌଶଳ

ଉଡ଼ି ଯାଉଥିବା ପକ୍ଷୀ ଉପଲକ୍ଷି

ବିନ୍ଧେ ହୋଇ କୁତୂହଳ ।

ଶବଦ ପାଇଲେ ଲକ୍ଷ୍ୟ ଭେଦି ମାରେ

ଦ୍ରୁତ ଧାବିତ ଶିକାରେ

ବ୍ୟାଘ୍ର ସିଂହ କ୍ରମେ ବଧିଲା କାନନେ

ଦକ୍ଷ ଖଡ୍‍ଗ ଚାଳନାରେ ।

ଲବେ ଉଦି ମନେ ହୋଇନାହିଁ ଉଦେ

ରହିଛି ସେ କାହା ଘରେ

ସଂଗ୍ରାମ ସଙ୍ଖାଳି ବୋଲି ମଧ୍ୟ ତାରେ

କେହି କହିନାହିଁ ଥରେ ।

ରୂପ ଦରଶନେ ତା’ ବାଣ ସନ୍ଧାନେ

ତା’ ଅସିଚାଳନେ ଜନେ

ଠଉରାଉଥାନ୍ତି ସଂଗ୍ରାମ ତନୁଜ

ବଢ଼ୁଛି ଏଥି ଗୋପନେ ।

କାନନ କନ୍ଦରେ ବିକଶିଲେ ମଲ୍ଲୀ

ଗନ୍ଧେ ଯେହ୍ନେ ପଡ଼େ ଧରା

କୁମ୍ଭମେରୁ ପୁରେ ବଢ଼ୁଅଛି ଉଦି

ଜାଣିଲା ଚିତୋର ଧରା ।

କାନ କାନ ହୋଇ ଚାଲିଲା ଖବର

ବନବୀର କାନଯାଏଁ

ଚମକି ପଡ଼ିଲା ତା କୃତିତ୍ଵ ଶୁଣି

ଚଳ ଦଳ ଯଥା ବାଏ ।

ଜାଣିଥିଲା ସେ ତ ପ୍ରେତପୁରେ ଉଦି

ତା’ ଦାଢ଼ୁଆ ଚନ୍ଦ୍ରହାସେ

ଶୁଣୁଛି ସଂପ୍ରତି କୁମ୍ଭମେରୁ ଦୁର୍ଗେ

ବଢ଼ୁଛି ତା ବଧ ଆଶେ ।

କାଳ ଝଞ୍ଜାଘାତେ ମଣିଷ ବିଚାର-

ପ୍ରାସାଦ ପଡ଼େ ଭୁଷୁଡ଼ି

ଏ ଶାଶ୍ଵତ ତତ୍ତ୍ଵ ମୂଢ଼ ବନବୀର

ଦର୍ପେ ଯାଇଅଛି ହୁଡ଼ି ।

ରାଜ୍ୟ ପ୍ରଜାକୁଳ ବନ-ପ୍ରତିକୂଳ

ବେଳ ବସିଥାନ୍ତି ଉଣ୍ତି

ସେଇ ଶୁଭଯୋଗ ଉପଗତ ଏବେ

ମାରିବେ ଦେଉଳ ମୁଣ୍ତି ।

ନିଜ ପୁତ୍ରେ ବଳି ଦେଇ ଦାସୀ ପାନ୍ନା

କୁମ୍ଭମେରୁ ଦୂର୍ଗେ ଜାଣ

ସଂଗ୍ରାମ ଦୁଲାଳେ ଥୋଇଛି ଲୁଚାଇ

କଥା ଗଲା କାନୁକାନ ।

ପଡ଼ିଗଲା ଘୋର ଚହଳ ଚିତୋରେ

ପୁଣ୍ୟ ଶ୍ଳୋକ ସଙ୍ଗସୁତ

କମଳମୀରର ପ୍ରକୃତି କୋଳରେ

ନିଖିଳଗୁଣରେ ଯୁତ ।

ହୃଦବେଦିକାରେ ବିଦ୍ରୋହ ମୁଖାଗ୍ନି

ଜଳୁଥିଲା ମନ୍ଦମନ୍ଦ

ଆହ୍ଵାନ ଆହୁତି ପାଇ ଶିଖା ତୋଳି

ଜଳି କଲା କ୍ରୋଧେ ଅନ୍ଧ ।

ମେଳ ମେଳ ହୋଇ ବିପୁଳ ଉତ୍ସାହେ

ଚିତୋରର ପ୍ରଜାକୁଳ

କୁମ୍ଭମେରୁ ମୁଖେ ଆରମ୍ଭିଲେ ଯାତ୍ରା

ଖୋଜି ଲଗ୍ନ ଅନୁକୂଳ ।

ରାଣା ରାଣାମାତା ଚରଣେ ପ୍ରଣମି

ଚୁମି ଉଦି ମୂର୍ଦ୍ଧା ଲୋଳେ

ବିଦାରିଲେ ବ୍ୟୋମ ଆଶାଶା ରାଣାଙ୍କ

ଜୟ ଜୟକାର ରୋଳେ ।

ସହର୍ଷେ ସମ୍ଵୋଧି ବୋଇଲେ ରାଣାରେ

“ମିବାରର ଭାବୀ ରବି

ଟପିଛି କୋମଳ କିଶୋର ବୟସ

କୁମ୍ଭମେରୁ କୋଳ ଲଭି ।

ଯଉବନ ଅଶ୍ଵ ସ୍ୟନ୍ଦନେ ଆରୋହି

ନେଉଅଛି କିଣି ମନ

ହେମ ରଶ୍ମି ଜାଳେ ଘୁଞ୍ଚାଇବ ତମ

ମଣ୍ତି ଚିତୋର ଗଗନ ।

କୁମ୍ଭମେରୁ ଶୁକ୍ଳ କୀରତି କେଶର

କମଳମୀର କମଳେ

କହନ୍ତି ପ୍ରଭାତ ସ୍ତୁତ୍ୟ ରାଣା ସଙ୍ଗ

ବୋଲି ଏ ବସୁଧା ତଳେ ।

ସେ କୀର୍ତ୍ତିକେଶର ମକରନ୍ଦେ ମୁଗ୍ଧ

ଚିତୋର ଜନତା ଅଳି

ଗୁଣୁଗୁଣୁ ସ୍ଵନେ ଗାଉଥିବ ଯଶ

ଚାହିଁ ଚାହିଁ ରବି ଝଳି ।

ବନ ଉପଦ୍ରବେ ପଡ଼ିଲାଣି ଭାତି

ଚିତୋର ନଗରୀ ଛାମୁ

ଅସିଧାରେ ତାର ଦେଶଧର୍ମୀ ବୀର

ଯାଉଛନ୍ତି ଭବଧାମୁଁ ।

ବିକ୍ରମର ଅପ- କର୍ମ ଦେଖି ଜନେ

ତାହାରେ ଆଣିଲେ ବରି

ବସି ସିଂହାସନେ ଚଳାଇଲା ଆସି

ମୁନିକୃତ ବ୍ୟାଘ୍ର ସରି ।

ରାଣା ସଂଗ୍ରାମଙ୍କ ଆଦର୍ଶ ଶାସନ

ଜାଣନ୍ତି ତ ଛାମୁ ଭଲେ

ଧରିଥିଲେ ଦେହ ନ୍ୟାୟଦେବ ନିଜେ

କହନ୍ତି ପ୍ରଜାସକଳେ ।

ଆକ୍ରମଣଲିପ୍ସୁ ଅରି ନିସୂଦନେ

ଅସ୍ତ୍ର ଯେସନ ପଜାଇ

ରଖିଥାନ୍ତି ସଦା ଶାସନ୍ତି ତେସନ

ପ୍ରକୃତିପୁଞ୍ଜ ରଞ୍ଜାଇ ।

ଥିଲା ତାହାଙ୍କର ଅନୁକମ୍ପା ପାତ୍ର

ଦିନେ ଏହି ପାପୀ ବନ

ସହିବ କି ଧର୍ମ ତାଙ୍କ ଶିଶୁ-ପ୍ରାଣ

ନେବାରେ କଲା ଯା ମନ !

ସନ୍ଥଜନ ମନ୍ଦ ପାଞ୍ଚି କେହି ମନ୍ଦ

ପାରିଛି କି ତିଷ୍ଠି ଭବେ

ମରଣକୁ ଲୋଡ଼ି ଆଣିଲା ବିଂଶାକ୍ଷ

ଶତ୍ରୁ ପାଞ୍ଚି ସୀତାଧବେ ।

ପ୍ରଭୁତା ମଦିରା ପାନେ ହୋଇ ମତ୍ତ

ଉଷ୍ଣ କରି ବନ ଛାତି

ଅତ୍ୟାଚାରେ ଜଡ଼ି କଲା ଅସ୍ତ୍ରପୂଜା

ନରରକ୍ତେ ଦିବାରାତି ।

ନିଦାଘ ଅନଳେ ଅଚଳ ଉଦର

ଦଗ୍ଧେ ବର୍ଷେ ଘନ ବାରି

ଏ ନିୟତି ନୀତି ବିସୋରିଲା ବନ

ଦର୍ପ ମଦେ ହୋଇ ଘାରି ।

ଡାକିଲାଣି କାଳ ବନକୁ ଏଥର

ପୂରିବାରୁ ହାଣ୍ତି ପାପେ

ଦେଖିବ ଅଚିରେ ଶମନ ସଦନ

ସାଧୁସନ୍ଥଙ୍କର ଶାପେ ।”

ଚିତୋର ଜନତା ସମ୍ମାନନେ ରାଣା

ହୃଦସିନ୍ଦୁକ ପୁଲକ-

ଆଭାସିଲା ମୁଖେ ଆଶ୍ଵାସନା ଦେଇ

ଭାଷିଲେ ତୋଳି ମସ୍ତକ ।

“ଜଳଧି ଉଚ୍ଛ୍ଵାସ ଉଠିଥାଏ ଏକା

ଭଜିବାକୁ ଲବେ ଲୟ

ବନ-ଅସ୍ତକାଳ ଉପଗତ ଆସି

ଦେଖିବ ତ୍ଵରା ନିରୟ ।

ବାଜ ଆଚରଣେ ପ୍ରଜା ପାରା ପ୍ରାଣେ

ଦେଲା ଯା କଷଣ ବନ

ବୁହାଇଲା ଯେତେ ରକତ ଚିତୋରେ

ଆରକ୍ତ କରି ଲୋଚନ ।

ମିବାର ମୁକୁଟ ରାଜସ୍ଥାନ ପିତା

ସଂଗ୍ରାମ କୁଳପାବନ

ଶିଶୁ ଉଦିସିଂହେ ବଇର ଆଚରି

ଅର୍ଜିଛି ଯା ପାପଧନ ।

ସହନ୍ତେ କି ବିଧି ? ପରିଣତି ତାର

ଭୁଞ୍ଜିବ ଅଧମ ଜବ

ଉଦିସିଂହ ପୁଣି ଆଣିବ ମିବାରେ

ଫେରାଇ ପିତୃଗୌରବ ।

ଆଶ୍ରା ଦେବାଳାଗି ଉଦିକି ଜନନୀ

ଦେଇଛନ୍ତି ପ୍ରୋତ୍ସାହନ

ତାଙ୍କରି ଲାଳନା ପାଳନାରେ ଉଦି

ଆଜି ସମ୍ମାନର ଧନ ।

ବସି ସିଂହାସନେ କରୁ ସମୁଜ୍ଜ୍ଵଳ

ମିବାର ମୁଲକ ମୁଖ”

ଦେଇଣ ଆଶିଷ ଉଦିସିଂହେ ଆଣି

ସସ୍ନେହେ ଭିଡ଼ିଲେ ବୁକ ।

ସବାଷ୍ପ ଲୋଚନେ ଆଶାଶା ଜନନୀ

ସୁସ୍ଥେ ଶୁଙ୍ଗି ଉଦି ଶିର

ବୋଇଲେ,“ବାପରେ, ଯଶୋଦେହେ ବଞ୍ଚି

ଟାଣ ରଖ ଏ ଜାତିର ।”

ପୁଷ୍କଳ ଜନତା ଜଳନିଧି ଭେଦି

ଉତ୍ସାହ ଊର୍ମିପଟଳ

ହର୍ଷସିକ୍ତ କଲା ଆକାଶ ଅବନୀ

ନୃତ୍ୟରତ ଧରାତଳ ।

“ଜୟହେ ଆଶାଶା ରାଣା ଜୟ ଜୟ

ଜୟ ରାଣାମାତା ଜୟ”

“ଜୟ ଉଦିସିଂହ, ଜୟ ଚିତୋରର

ନବ ନରେଶ୍ଵର ଜୟ ।”

ଜୟ ହର୍ଷରୋଳ ଭିତରେ ଜନତା

ମଣ୍ତି ଉଦି ପୁଷ୍ପହାରେ

ଜଣାଇଲେ ଅଭି- ବାଦନ ତାହାରେ

ପାଛୋଟି ରାଜସମ୍ଭାରେ ।

Image

 

ଷଷ୍ଠ ଉଚ୍ଛ୍ଵାସ

 

ଆସୁଛନ୍ତି ସଙ୍ଗ- ତନୟ ଉଦୟ

ବୁଦ୍ଧି ବାହୁବଳେ ହୋଇ ଭୂଷିତ

ସତ୍ୟ ନ୍ୟାୟସିକ୍ତ ପୂତ ପିଣ୍ତ ଗାଦି

କରିବେ ଶାସନ କଳାମଣ୍ତିତ ।

ମାରି ମାରି ଚୋଟ ଚନ୍ଦନ କାନନେ

ବନ ବିଳେଶୟ ନେଇଛି ପ୍ରାଣ

ନବ ରାଣା ସର୍ପ- ଭୁକ୍ ପଦକ୍ଷେପେ

ସନ୍ଥବଧ ପାପୁଁ ନାହିଁ ତା ତ୍ରାଣ ।

ଅବତରି ଦିବୁଁ ଉଲ୍ଲାସ ଚିତୋରେ

ନେଇଛି ନଗରୀ ରାଜୁତି ଭାର

ଯାଉଛି ବିଷାଦ ଘୁଞ୍ଚି ଘୁଞ୍ଚି କାହିଁ

ଦେଖି ଉଲ୍ଲାସର ଜୟ ସମ୍ଭାର ।

ଦ୍ଵାରେ ଦ୍ଵାରେ ରମ୍ଭା ତରୁ ପତ୍ରେ ପତ୍ରେ

ଦୋଳି ଦୋଳି ନାଚେ ଉଲ୍ଲାସ ଝଳି

ଉଲ୍ଲାସ ଲହରୀ ଉଠୁଛି ପଡ଼ୁଛି

ଘଟେ ଘଟେ ଚୂତ ପଲ୍ଲବେ ଢଳି ।

ଉଲ୍ଲାସର ହାସ- ରେଖାଛଳେ ବ୍ୟୋମେ

ଝୁଲୁଛି ସୁମନ ତରଣମାଳା

ରାଜ ଅତିଥିଙ୍କ ସ୍ଵାଗତ ସମ୍ଭାରେ

ଅଗ୍ରଣୀ ଉଲ୍ଲାସ ନଗରୀ ସାରା ।

ଶଙ୍ଖ ଭେରୀତୁରୀ ବିବିଧ ବାଜଣା

ବିବିଧ ତରାସ ପତାକାଛତି

ସମଭିବ୍ୟାହାରେ ସମବେତ ସୁଖେ

ବାଳବୃଦ୍ଧ ବାମା ତରୁଣ ତତି ।

ମନୋଯୋଗ ସହ ଅଛନ୍ତି ଅନାଇ

ଲକ୍ଷ ଲକ୍ଷ ଜନ ନିଶ୍ଚିତ ଆଶେ

ଶୁଭଲଗ୍ନେ ଆସି ସର୍ଦ୍ଦାର ଗହଣେ

ସମାଗତ ଉଦିସିଂହ ଉଲ୍ଲାସେ ।

ବାଜିଲା ବାଜଣା ଉଡ଼ିଲା ପତାକା

ଦେଲେ ହୁଳହୁଳି କୁଳକମଳା

କଲେ ସ୍ତୁତିପାଠ ଭାଟେ ତୋଳି କଣ୍ଠ

ନାଚିଲେ ବାରସ୍ତ୍ରୀ ଦେଖାଇ କଳା ।

ନବରାଣ ଗଳେ ଦେଇ ଉପହାର

ପୁଷ୍ପମାଲ୍ୟ ପକ୍ଵକେଶ ସର୍ଦ୍ଦାରେ

ବୋଇଲେ ଆଶିଷି “ସଂଗ୍ରାମ ପ୍ରତିଷ୍ଠା

ଶାସନେ ଫେରାଇ ଆଣ ମିବାରେ ।”

ଅମୃତ ବଚନେ ଉଦିସିଂହ ଜନେ

ସସମ୍ଭ୍ରମେ ବିହି ଅଭିବାଦନ

ପାଟ ପଟୁଆରେ କଲେ ଅଭିଯାନ

କରି କରୀପୃଷ୍ଠେ ଉପବେଶନ ।

ଲକ୍ଷ୍ୟ କରି ସେହି ଆଭିମୁଖ୍ୟ ବନ

ସିଂହ ଲମ୍ଫେ ଦରି ଶଶକ ସରି

କି କରିବେ କାହିଁ ଲୁଚିବେ ବା ଯାଇ

ଅନ୍ତର ଚିନ୍ତାରେ ଗଲାଣି ଥରି ।

ଯୁଦ୍ଧ ଜୟ ଆଶା ଦେଖୁ ସେ ନାହାନ୍ତି

ଖସି ଯାଉଅଛି ହାତରୁ ଅସି

ଗଲେଣି ତ ଖସି ଚାଟୁକାର ଯେତେ

ତାଙ୍କ ଗୁଣଗାନେ ହାତବାରସି ।

ଭାତ ବରତନ ଖାଇ ଯେଉଁ ଲୋକେ

ଖଟିଥିଲେ ପାଶେ ସେବି ପୟର

ସଂଗ୍ରାମ ଦୁଲାଳ ପଟୁଆରେ ଯାଇ

ଟେକିଲେଣି ତାଙ୍କ ଛତ୍ର ଚାମର ।

ନ ଲାଗଇ ଭଲ ବନବୀରେ ଆଉ

ରାଜସିଂହାସନ ରାଜଉଆସ

ବିଷ ଲାଗୁଅଛି ସୁମନ ଚନ୍ଦୁନ

କର୍ପୂର ଅଗୁରୁ ଧୂପର ବାସ ।

ମତଙ୍ଗଜ ଦନ୍ତ ନିର୍ମିତ ପଲଙ୍କ

ସୂକ୍ଷ୍ମ ହଂସତୁଳି ପେଶଳ ଶଯ୍ୟା

ଶୁଭ୍ର ଜ୍ୟୋତ୍ସ୍ନାନିଭ ସ୍ନିଗ୍ଧ ଉପାଧାନ

ପୂର୍ବପରି ଦେଉ ନାହିଁ ତ ମଜା ।

ଚିତୋର ଆକାଶ ଅଚଳ ସଦୃଶ

ସଂପ୍ରତି ଲାଗୁଛି ଦୁଃସହ ଗୁରୁ

ପାଦତଳୁ ରସା ଯାଉଛି ଲହସି

ଦେଉଛି ଗଳଥା କେ ରାଜପୁରୁଁ ।

ବହିର୍ଦ୍ଵାରଦେଶେ ସଂଗ୍ରାମ ତନୟ

ଉଦୟସିଂହର ଜୟ ନିନାଦେ

ବନବୀର ହୃଦ- ବ୍ୟୋମ ବିକ୍ଷୋଭିତ

କୋଷମୁକ୍ତ କଲେ ଖଡ୍‍ଗ ଉନ୍ମାଦେ ।

ଯୁଗାନ୍ତ ବାରିଦ- ମାଳେ ପବି ପରି

ବିରାଟ ବିଦ୍ରୋହୀ ଜନଗହଳେ

ଅଭିଯାନ ରଚି ଆସେ ଉଦିସିଂହ

ଜାଳିଦେବ ଅରିଗିରି ଅନଳେ ।

ମଣିଲେ ତା ବନ ତାଙ୍କ ମୃତ୍ୟୁ ଲାଗି

ଆସେ କାଳ ବିଧିବଳେ ଜମକେ

କାଳଦୂତ ଭଳି ଉଚ୍ଚହାସ ରଚି

ପଛେ ପ୍ରଜାକୁଳ ଉଭା ଫାଟକେ ।

ଥିବାଯାକ ବିଧୁ- ପ୍ରଭୁତ୍ଵ ଗଗନେ

ସେବୁଥାନ୍ତି ପାଶେ ତାରକା ଭତି

ବିରାଜିଲେ ରବି କନକ କିରଣେ

ମଜ୍ଜିଯାନ୍ତି ତହିଁ ବିଧୁରେ ତ୍ୟତି ।

କହିଲା ଭିତରେ କିଏ ବନବୀରେ

ଜନତା ଜୁଆର ଆସୁଛି ମାଡ଼ି

ପାରିବ କି ତିଷ୍ଠି ଏକାକୀ ସଂଗ୍ରାମେ ?

ଯାଅ ଯାଅ ତ୍ଵରା ଚିତୋର ଛାଡ଼ି ।

କି କରିବେ ବନ ଅବିଚାର ଫଳେ

ଭାଗ୍ୟ ପ୍ରତିକୂଳ ଦେଖି ସହସା

ଲୁଚି ଲୁଚି ଯାଇ ରହିଲେ ବା କାହିଁ

ପଞ୍ଚାନନେ ଦେଖି ଯେସନ ଶଶା ।

ପରିପନ୍ଥୀ ଶୂନ୍ୟ ରାଜସିଂହାସନ

ଚକ୍ରବାଳ ବିଭାସିତ ଆଲୋକେ

ଶାନ୍ତି ସୁରନଦୀ- ହିଲ୍ଲୋଳ ଉଚ୍ଛ୍ଵାସେ

ଉଦ୍ବେଳିତ ସାରା ମୁଲକ ଲୋକେ ।

ବିପୁଳ ଉତ୍ସବେ ରାଜ ଉପଚାରେ

ମନ୍ତ୍ରଜଳେ ଅଭିସେଚିତ ରାଣା

ପ୍ରଜା ସହଯୋଗ ଭିକ୍ଷା କରି ନମ୍ରେ

ନମିଲେ ଚରଣେ ଜନନୀ ପାନ୍ନା ।

Image

 

ସପ୍ତମ ଉଚ୍ଛ୍ଵାସ

 

(୧)

ଦେଖି ମନୋରଥ-ମନ୍ଦିର ପୂର୍ତ୍ତି

ଦେଖି ସେ ମନ୍ଦିରେ ଅଭୀଷ୍ଟ ମୂର୍ତ୍ତି

ଦେଖି ଆଶା-ଲତା ପୁଷ୍ପେ ତା ପୂଜା

ଦେଖି ପ୍ରଜାକୃଚ୍ଛ୍ର ବରତ ଉଜା

ପାନ୍ନାର ବଦନ ଦେଶେ

ଶାରଦ ପୂର୍ଣ୍ଣିମା ଜ୍ୟୋତ୍ସ୍ନା ଗଲା ଖେଳି

ସ୍ଵର୍ଗୀୟ ବିଜୁଳି ବେଶେ ।

(୨)

ମାନବୀ ଦେହରେ ଦେବୀତ୍ଵ ଲଭି

ପାନ୍ନା ଆଜି ସୁରପୁରେ ବାସବୀ

କଲା ଯିଏ ଦାନ ଧାତ୍ରୀ ଜୀବନେ

ନାହିଁ ତା ତୁଳନା ପାର୍ଥିବ ଧନେ

ସୃତି ନବ ଇତିହାସ

କାଳ କାଳ ପାଇଁ ରଖିଗଲା ବିଶ୍ଵେ

ଅମଳିନ ଯଶୋବାସ ।

(୩)

ସ୍ମୃତିସ୍ତମ୍ଭ ଦୀପ ଆଲୋକ ଉତ୍ସ

ପ୍ରତିକୃତିଭରା କନକଗୁଚ୍ଛ

ଅଭିନବ କୃତି ଲିପି ଫଳକ

କୋଟି ଜନତାର ଭକ୍ତି ମସ୍ତକ

କରି ନତ କାଳ କାଳ

ବଞ୍ଚାଇ ପାନ୍ନାକୁ ରଖିଥିବ ଭବେ

ମାରି ନ ପାରିବ କାଳ ।

Image